
ଦଶପଲ୍ଲା: ରାତିଅଧରେ ଘରେ ପଶିଗଲା ଆମ୍ବୁଲାନ୍ସ । ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଏକ ଆମ୍ବୁଲାନ୍ସ ବୌଦ୍ଧ – ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଦଶପଲ୍ଲାରେ ରାସ୍ତା କଡରେ ଥିବା ବାବୁଲା ଗନ୍ତାୟତଙ୍କ ଘରକୁ ପଶି ଯାଇଥିଲା । ଏଥିରେ ଘର ଭାଙ୍ଗିରୁଜି ଯାଇଛି । ବାବୁଲାଙ୍କ ବଡ଼ ଝିଅ ସାମାନ୍ୟ ଆହତ ହୋଇଥିବାବେଳେ ପୋଷା କୁକୁରର ମୃତ୍ୟୁ ହୋଇଛି ।
ଏହି ଦୁର୍ଘଟଣାରେ ସାଇକେଲ ଓ କିଛି ଘରୋଇ ଉପକରଣ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ତେବେ ଦଶପଲ୍ଲା ବ୍ଲକର ବୁଗୁଡ଼ା ଓ ବୁଗୁଡ଼ା କଲୋନୀ ମଧ୍ୟରେ ଜାତୀୟ ରାଜପଥରେ କୌଣସି ସ୍ପିଡ ବ୍ରେକର ନଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ତେଣୁ ଏହି ରାସ୍ତାରେ ସ୍ପିଡ଼ ବ୍ରେକର ନିର୍ମାଣ କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି ।