ଝରିଗାଁରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

newyr25

ଉମରକୋଟ/ଝରିଗାଁ : ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ସୋମବାର ଦିନ ଜିଲ୍ଲାପାଳ ଡ଼. ମହେଶ୍ବର ସ୍ୱାଇଁ ଓ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ବିଶାଳ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରର ମୂଳ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକଙ୍କ ନିକଟରୁ ସିଧାସଳଖ ଅଭିଯୋଗ ଓ ସମସ୍ୟା ଶୁଣି ସେଗୁଡିକର ଶୀଘ୍ର ସମାଧାନ କରିବା ସହିତ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ କରିବା।
ଏହି ଜନଶୁଣାଣି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ସିଇଓ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଝରିଗାଁ ବିଡିଓ ମଧୁସୂଦନ ମାଝୀଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସେମାନେ ଆବେଦନକାରୀମାନଙ୍କ ଅଭିଯୋଗକୁ ଧ୍ୟାନପୂର୍ବକ ଶୁଣି ତଦନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ଆଶ୍ୱାସନ ଦେଇଥିଲେ।


ଶିବିରରେ ମୋଟ ୩୦ ଜଣ ଆବେଦନକାରୀ ନିଜ ନିଜ ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିରୁ ୨୨ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଓ ୮ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଥିଲା। ଏହାମଧ୍ୟରୁ ଗୋଟିଏ ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗଗୁଡିକୁ ସମ୍ପର୍କିତ ବିଭାଗକୁ ପଠାଇ ଶୀଘ୍ର ନିରାକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏହି ଅବସରରେ ଚିହ୍ନଟ ଦିବ୍ୟାଙ୍ଗମାନଙ୍କୁ ୮ଟି ହ୍ୱିଲଚେୟାର ଓ ୨ଟି ଟ୍ରାଇସାଇକେଲ ବଣ୍ଟନ କରାଯାଇଥିଲା। ସେହିପରି ବିଭିନ୍ନ କାରଣରୁ ଅଙ୍ଗହୀନ ହୋଇଥିବା ୨ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ପାଇଁ ମାପ ନିଆଯାଇଥିଲା। ଏହାସହ ଦୁର୍ଘଟଣା କିମ୍ବା ଅନ୍ୟାନ୍ୟ କାରଣରୁ ଆହତ ଓ ଅକ୍ଷମ ହୋଇଥିବା ୧୩ ଜଣ ରୋଗୀଙ୍କୁ ଉନ୍ନତ ପୁନର୍ବାସ କେନ୍ଦ୍ରରେ ଉତ୍ତମ ଶାରୀରିକ ଚିକିତ୍ସା ଓ ଯନ୍ତ୍ରଣା ଉପଶମ ସେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଶିବିରରେ ଉପସ୍ଥିତ ଜନସାଧାରଣ ପ୍ରଶାସନ ଦ୍ୱାରା ଏପରି ଜନଶୁଣାଣି ଶିବିର ଆୟୋଜନ କରାଯାଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ଓ ଏହା ମାଧ୍ୟମରେ ସେମାନଙ୍କ ସମସ୍ୟାର ସମାଧାନ ଶୀଘ୍ର ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।

Leave A Reply

Your email address will not be published.