
ଭୁବନେଶ୍ବର: ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଗ୍ୟାସ୍ ଯୋଗାଣରେ ବାଧା । ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର। ଏଲପିଜି ସିଲିଣ୍ଡର ପାଇଁ ଏଜେନସୀ ଆଗରେ ଲମ୍ବା ଲାଇନ। ସ୍ଥିତି ଏମିତି ହେଇଛି ଯେ, ୨୦-୨୫ ଦିନ ପୂର୍ବରୁ ଗ୍ୟାସ ବୁକ କରିଥିଲେ ବି ମିଳୁନି ସିଲିଣ୍ଡର । ଭଦ୍ରକ ତଥା ଆଖାପାଖ ଅଞ୍ଚଳରେ ପ୍ରାୟ ୩୩ ହଜାର LPG ଉପଭୋକ୍ତା ଅଛନ୍ତି । ପ୍ରତି ମାସରେ ଭଦ୍ରକର LPG ଏଜେନ୍ସି ପାଖକୁ ୧୨ହଜାର ସିଲିଣ୍ଡର ଆସୁଥିଲା । ତାହା ଏବେ କମି ୮ ହଜାର ସିଲିଣ୍ଡର ଆସୁଛି।
ଫଳରେ ପୂର୍ବରୁ ବୁକିଂ କରିଥିଲେ ବି ଠିକ୍ ସମୟରେ ମିଳୁନି ସିଲିଣ୍ଡର । ଯାହାକୁ ନେଇ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ବୁକିଂର ସମୟ ସୀମା ଏକ ମାସ ହୋଇଥିବାବେଳେ OTP କୁ ଆଧାର କରି ଗ୍ୟାସ ଯୋଗାଣ କରାଯାଉଥିବା ସାମାନ୍ୟ ସମସ୍ୟା ସୃଷ୍ଟି ହୋଇଥିବା ଗ୍ୟାସ୍ ଏଜେନ୍ସି ପକ୍ଷରୁ କୁହାଯାଇଛି ।
ଗତକାଲି ରିପୋର୍ଟରୁ ଜଣାପଡିଥିଲା ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇନ୍ଧନ ଗ୍ୟାସର ଅଭାବ। ଦୁଇ ଦିନ ମଧ୍ୟରେ ଭୁବନେଶ୍ୱରରେ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ଆରମ୍ଭ ହେବ । ଏଭଳି କିଛି ଆଶଙ୍କା କଲେଣି ଭୁବନେଶ୍ବର ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ୍ । ବର୍ତ୍ତମାନ ପ୍ରାୟ ୨୦ ପ୍ରତିଶତ କମର୍ସିଆଲ ଗ୍ୟାସ ସପ୍ଲାଏ ବନ୍ଦ କରାଯାଇଛି । ଏଥିପାଇଁ ହୋଟେଲ ଓ ରେଷ୍ଟୁରାଣ୍ଟ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶର ବଡ଼ ବଡ଼ ସହର ସବୁରେ ବର୍ତ୍ତମାନ ହୋଟେଲ ବନ୍ଦ ହେବା ଆରମ୍ଭ ହେଲାଣି । ଏହିଭଳି ସ୍ଥିତି ଲାଗି ରହିଲେ ଆସନ୍ତା ୨ ଦିନ ମଧ୍ୟରେ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିବ ।