
ରାଇରଙ୍ଗପୁର : ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ପ୍ରତିବାଦରେ ତାତିଲେ ଗ୍ରାମବାସୀ । ଭାଙ୍ଗିଲେ ତହସିଲଦାରଙ୍କ ଗାଡ଼ି । ମୟୂରଭଞ୍ଜ ଜିଲ୍ଲା ବହଳଦା ଏନଏଚ-୨୨୦ରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ । ଗ୍ରାମବାସୀମାନେ ପୋଲିସକୁ ମରଣାନ୍ତକ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ପୋଲିସ ପକ୍ଷରୁ ଉତ୍ତ୍ୟକ୍ତ ଲୋକଙ୍କ ଉପରେ ଲାଠିମାଡ଼ କରାଯାଇଛି । ପୀଡ଼ିତାଙ୍କୁ ରାସ୍ତା ଉପରେ ଖଟରେ ଶୁଆଇ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।
ଅଭିଯୋଗ ଅନୁଯାୟୀ, ରାଇରଙ୍ଗପୁର ତିରିଂ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଅସଦାଚରଣ ପ୍ରତିବାଦରେ ବହଳଦା ଏନଏଚ-୨୨୦ ଜାତୀୟ ରାଜପଥ ଅବରୋଧ କରାଯାଇଛି । ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଓ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି ଗାଁଲୋକ । ଏନେଇ ବର୍ତ୍ତମାନ ସୁଦ୍ଧା ପୀଡ଼ିତାଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ ବୋଲି କହିଛନ୍ତି ରାଇରଙ୍ଗପୁର ଅତିରିକ୍ତ ଆରକ୍ଷ ଅଧିକ୍ଷକ। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି । ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ବେଳେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହେଇଛି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।