
ବାରିପଦା: ଜଣେ ମୂକବଧିର ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗର ଏକ ମାମଲାକୁ ବାରିପଦା ଆଡହକ ଅତିରିକ୍ତ ଜିଲା ଓ ଦୌରାଜର୍ଜ (ପୋକ୍ସୋ ଆଇନର ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ) ସନ୍ତୋଷ କୁମାର ନାୟକ ବିଚାର କରି ଅଭିଯୁକ୍ତ ବଡସାହି ଥାନା ଅଧୀନ ଆମ୍ବଡାଳି ଗ୍ରାମର ଚନ୍ଦନ ନାଏକ (୩୦)କୁ ଦୋଷୀ ସାବ୍ୟସ୍ତ କରି ଶୁକ୍ରବାର ଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ଅଭିଯୁକ୍ତକୁ ଅନାଧିକାର ଭାବେ ଘରେ ପ୍ରବେଶ କରିଥିବାରୁ ବିଏନଏସର ୩୩୨(ଏ) ଦଫାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଏବଂ ଦୁଷ୍କର୍ମ ଉଦ୍ୟମ ପାଇଁ ପୋକ୍ସୋ ଆଇନର ୬/୧୮ ଦଫାରେ ମଧ୍ୟ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ହୋଇଛି।
ଉଭୟ କାରାଦଣ୍ଡକୁ କ୍ରମାଗତ ଭାବେ ଭୋଗିବା ପାଇଁ ଉଲ୍ଲେଖ କରାଯାଇଥିବା ଏବଂ ଜୋରିମାନା ମୋଟ ୪୦ ହଜାର ଟଙ୍କା ହୋଇଛି। ଜୋରିମାନା ଅନାଦେୟ ଅତିରିକ୍ତ ୧ ବର୍ଷକରି ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ପୁଲିସ ଅଭିଯୁକ୍ତକୁ ୨୦୨୫ ଅକ୍ଟୋବର ମାସ ୧୮ ତାରିଖରେ ଗିରଫ କରି ଜେଲ ହାଜତକୁ ପଠାଇବା ପର ଠାରୁ ଏପର୍ଯ୍ୟନ୍ତ ସେ ଜେଲ ହାଜତରେ ବିଚାରଧୀନ କଏଦୀ ଭାବେ ରହିଆସିଥିବାରୁ ତାହା ମୋଟ ଦଣ୍ଡାଦେଶରୁ ହ୍ରାସ ପାଇବ ବୋଲି ପ୍ରକାଶ। ଯଦି ଜୋରିମାନା ଅର୍ଥ ଆଦାୟ ହୁଏ ତାହା ପୀଡିତାଙ୍କୁ ଦିଆଯିବା ସକାଶେ ମଧ୍ୟ ଉଲ୍ଲେଖ ରହିଛି। ପୀଡିତାଙ୍କୁ ପୂର୍ବରୁ ଦେଢ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ବାବଦ ପ୍ରଦାନ କରାଯାଇଥିବାର ପ୍ରକାଶ। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ପ୍ରଭାତ କୁମାର ବେହେରା ମାମଲା ପରିଚାଳନା କରୁଥିଲେ।
ନାବାଳିକା ପୀଡିତାଙ୍କର ମା’ଙ୍କର ଅଭିଯୋଗକ୍ରମେ ବଡସାହି ଥାନାରେ ୨୦୨୫ ଅକ୍ଟୋବର ମାସ ୧୭ ତାରିଖରେ ବିଭିନ୍ନ ଦଫାରେ ଅଭିଯୁକ୍ତ ଚନ୍ଦନ ନାଏକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ଅଭିଯୋଗ ଅନୁଯାୟୀ ଅଭିଯୋଗକାରୀ ଘଟଣା ଦିନ ଅର୍ଥାତ ୨୦୨୫ ଅକ୍ଟୋବର ମାସ ୧୭ ତାରିଖ ମଧ୍ୟାହ୍ନ ୧୨ ଟା ସମୟରେ ଭିନ୍ନକ୍ଷମ ନାବାଳିକା ଝିଅ ଓ ପୁଅ ଉଭୟଙ୍କୁ ଘରେ ଛାଡି ଦେଇ ଗାଧୋଇବାକୁ ଯାଇଥିଲେ। ଘରେ ତାଙ୍କର ଅନୁପସ୍ଥିତିର ସୁଯୋଗ ନେଇ ଅଭିଯୁକ୍ତ ଅନାଧିକାର ଭାବେ ଘର ଭିତରକୁ ପ୍ରବେଶ କରି ତାଙ୍କର ଭିନ୍ନକ୍ଷମ ନାବାଳିକା ଝିଅକୁ ଜୋର ଜବରଦସ୍ତି ଘରର ଏକ କୋଠରୀକୁ ନେଇ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁଥିଲା। ଏବଂ ସେହି ସମୟରେ ଅଭିଯୋଗକାରୀ ଗାଧୋଇସାରି ଘରକୁ ଫେରିବା ପରେ ଏହି ଘଟଣା ସମ୍ପର୍କରେ ତାଙ୍କର ପୁଅଙ୍କ ପାଖରୁ ଶୁଣିବା ପରେ ଉକ୍ତ କୋଠରୀକୁ ଯାଇ ଅଭିଯୁକ୍ତକୁ ଜୋର ଜବରଦସ୍ତି ଘର ବାହାରକୁ ନେଇ ଯାଇଥିଲେ ଏବଂ ଗ୍ର୍ରାମବାସୀଙ୍କ ପରାମର୍ଶକ୍ରମେ ଅଭିଯୁକ୍ତକୁ ପୁଲିସଙ୍କଠାରେ ହସ୍ତାନ୍ତର କରିଥିଲେ। ଏହି ଘଟଣାରେ ପୁଲିସ ୨୦୨୫ ଡିସେମ୍ବର ୨୨ ତାରିଖରେ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ଏବଂ ୨୦୨୬ ଫେବୃୟାରୀ ୨୦ ତାରିଖରେ ଚାର୍ଜଫ୍ରେମ ହୋଇଥିଲା
