କୂଅରେ ଖସି ପଡ଼ିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ୨ ଓଡ଼ିଆ ଶ୍ରମିକ

add-all

ଦିଗପହଣ୍ଡି: ପେଟ ପାଳିବା ପାଇଁ ଭିଟାମାଟି ଛାଡ଼ିଥିଲେ। ରାଜ୍ୟ ବାହାରେ ଭଲ ରୋଜଗାର କରୁଥିଲେ। ପରିବାର ଲୋକଙ୍କୁ ଟଙ୍କା ପଠାଉଥିଲେ। ସେମାନଙ୍କର ପରିବାର ଖୁସିରେ ଚାଲିଥିଲା। ଏହି ଖୁସି ଭିତରେ ଆସନ୍ତା ୧୯ ତାରିଖ ଦିନ ଭିଟାମାଟି ଅଭିମୁଖେ ଫେରିଥାନ୍ତେ। କିନ୍ତୁ ସେମାନେ ଆଉ ଜୀବିତ ଫେରିଲେ ନାହିଁ। ତାଙ୍କର ମୃତଦେହ ଏବେ ଘରକୁ ଫେରୁଥିବା ସୂଚନା ମିଳିଛି। ଗଂଜାମ ଜିଲ୍ଲା  ଦିଗପହଣ୍ଡି ଅଞ୍ଚଳର ଦୁଇ ଜଣ ଶ୍ରମିକ କେରଳରେ ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି। କୂଅ ଭିତରେ ଖସି ପଡ଼ିଥିବା ଛେଳିକୁ ବଞ୍ଚାଇବାକୁ ଯାଇ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଖାରିଆଗୁଡା ଗାଁର ନରସିଂହ ପ୍ରଧାନ ଓ ସନ୍ତୋଷ ବାଡତ୍ୟା।

ସୂଚନା ଅନୁସାରେ ତିନି ବର୍ଷ ଧରି କେରଳ ମାଲ୍ଲାପୁରମର ଏକ କମ୍ପାନିରେ କାମ କରୁଥିଲେ। କମ୍ପାନି ପାଖରେ ଥିବା ଏକ ଘରର କୂଅରେ ସୋମବାର ସନ୍ଧ୍ୟା ସମୟରେ ଏକ ଛେଳି ପଡ଼ି ଯାଇଥିଲା। ଛେଳିକୁ ଉଦ୍ଧାର କରିବାକୁ ଯାଇ କୂଅ ଭିତରକୁ ଯାଇଥିଲେ ନରସିଂହ ଓ ସନ୍ତୋଷ।କୂଅର ପମ୍ପରୁ ବିଦ୍ୟୁତ ଆଘାତ ଲାଗି ଉଭୟଙ୍କ ମୃତ୍ୟୁ ହୋଇଛି।

ସ୍ଥାନୀୟ ଅଗ୍ନିଶମ ବିଭାଗର ଅଧିକାରୀମାନେ କୂଅରୁ ତାଙ୍କୁ ବାହାର କରିବା ପରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ନିଜ ଗାଁକୁ ଫେରିବା ନିମନ୍ତେ ଆସନ୍ତା ୧୯ ତାରିଖରେ ଟ୍ରେନ୍‌ ଟିକଟ କାଟିଥିଲେ। ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଖାରିଆଗୁଡା ଗାଁରେ ଶୋକାର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.