
ଭୁବନେଶ୍ୱର : ବିଧାନସଭାରେ ଉଠିଲା କୋକେଇ । ପଡ଼ିଲା ଖଇ କଉଡି। ‘ରାମ ନାମ ସତ୍ୟ ହେ’ ଧ୍ବନିରେ କମ୍ପିଲା ବିଧାନସଭା । ଏସସିବି ଅଗ୍ନିକାଣ୍ଡକୁ ନେଇ ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରିଛନ୍ତି । ଏଥିରେ କଂଗ୍ରେସ ସଦସ୍ୟମାନେ ବି ସାଥ୍ ଦେଇଛନ୍ତି ।
ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଆରମ୍ଭ ହୋଇଥିଲା । ଏହି କାରଣରୁ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ । ବିରୋଧୀଙ୍କ ପ୍ରବଳ ନାରାବାଜି ଦେଖିବାକୁ ମିଳିଛି । ହେଲେ ସମାନ ପ୍ରସଙ୍ଗ ନେଇ ଆରମ୍ଭ ହୋଇଥିଲା ବିରୋଧ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ନାରାବାଜି କରିଥିଲେ ବିରୋଧୀ କଂଗ୍ରେସ ଏବଂ ବିଜେଡି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିଲେ ବିରୋଧୀ ।
ସେହିପରି ଗତକାଲି ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟକ SCB ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଥିଲେ । ସରକାରଙ୍କ ଅପାରଗତାରୁ ନିଆଁ ଲାଗିଥିବା କହିଥିଲେ ନବୀନ । ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏସସିବି ଅଗ୍ନିକାଣ୍ଡ ନେଇ ବିବୃତି ରଖିଥିଲେ । କହିଛନ୍ତି ପ୍ରାଶାସନିକ ଅବହେଳା ଯୋଗୁ ଏତେବଡ଼ ଅଘଟଣ ଘଟିଛି । ନୈତିକତା ଦୃଷ୍ଟିରୁ ସ୍ବାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ।