
ବାଲେଶ୍ଵର: ବାଲେଶ୍ଵର ପରିବାର ଅଦାଲତ ନିକଟରେ ହାଇଡ୍ରାମା । କୋର୍ଟ ନିକଟରେ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଲହୁ ଲୁହାଣ କରିଦେଲା ନିର୍ଦ୍ଦୟ ସ୍ୱାମୀ । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ବାଲେଶ୍ଵର ପରିବାର ଅଦାଲତରେ ୨୦୨୫ ମସିହା ଡ଼ିସେମ୍ବର ମାସରୁ ଛାଡପତ୍ର ମାମଲା ଜାରି ରହିଛି । ପୂର୍ବରୁ ଉଭୟଙ୍କ ପରିବାର ଅଦାଲତ ଜଜ୍ ଓ କାଉନସିଲରଙ୍କ ଦ୍ଵାରା କାଉନସେଲିଂ ମଧ୍ୟ ସରିଥିଲା । ଆଜି ଉଭୟଙ୍କ ବାଲେଶ୍ଵର ପରିବାର ଅଦାଲତରେ ହାକିମଙ୍କ ନିକଟରେ କାଉନସେଲିଂ ଥିବା ବେଳେ କୋର୍ଟ ବାହାରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସ୍ୱାମୀ ପ୍ରତାପ ଜେନା ସ୍ତ୍ରୀ ଅନୀମା ଜେନାଙ୍କୁ ଅକଥନୀୟ ଅତ୍ୟାଚାର ଓ ନିର୍ଯାତନା ଦେଉଥିବା ଅଭିଯୋଗରେ ଅନିମା ପରିବାର ଅଦାଲତର ଆଶ୍ରୟ ନେଇଥିଲେ। ଆଜି କୋର୍ଟରେ ପ୍ରତାପଙ୍କ ସହ ଅନିମାଙ୍କ କୋର୍ଟ ପରିସରରେ ଯୁକ୍ତିତର୍କ ହୋଇଥିଲା। ପ୍ରତାପଙ୍କ ମାଡ଼ରେ ଅନିମାଙ୍କ ଦୁଇ ଗୋଡ଼ରେ ଶକ୍ତ ଆଘାତ ଲାଗିଛି । ଗୁରୁତର ଭାବେ ଅନିମାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିବା ବେଳେ ସହଦେବ ଖୁଣ୍ଟା ଥାନା ପୁଲିସ ପ୍ରତାପଙ୍କୁ ଅଟକ ରଖିଛି । ଅନିମା ଓ ପ୍ରତାପଙ୍କ ଦୁଇଟି ପୁଅ ରହିଥିବା ବେଳେ ୧୧ ବର୍ଷ ପୂର୍ବରୁ ଉଭୟେ ବିବାହ କରିଥିଲେ ।