
ନୟାଗଡ଼ ୧୯।୩: ଅପରେସନ୍ ସାଇବର କବଚ ଜରିଆରେ ନୟାଗଡ଼ ପୋଲିସ ୧୬ଟି ମାମଲା ରୁଜୁ କରି ଏକ ବଡ଼ ଗ୍ୟାଙ୍ଗ ସମ୍ପର୍କରେ ଖୁଲାସା କରିଛି । ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀ ସାଇବର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ଏହି ଘଟଣାର ମାଷ୍ଟରମାଇଣ୍ଡ ଶରଣକୂଳ ଥାନା ଅଞ୍ଚଳର ସୋନୁ ନିଗମ ବିଶ୍ବାଳ ସମେତ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଗିରଫ ଅଭିଯୁକ୍ତ ମାନେ ହେଲେ ଓଡ଼ଗାଁ ଥାନା ଅଞ୍ଚଳର ରମେଶ ଡାକୁଆ, ଶ୍ରୀଧର ନାହାକ, ଶରଣକୂଳ ଥାନା ଅଞ୍ଚଳର ଶଙ୍କର ଚୈାଧୁରୀ, ସୁନିଲ୍ ସାହୁ ଏବଂ ଚରଣ ନାହାକ । ସୋନୁ, ରମେଶ ଏବଂ ଶଙ୍କରକୁ ବିହାରରୁ ନୟାଗଡ଼ ପୋଲିସ ଉଠାଇ ଆଣିବାରେ ସଫଳ ହୋଇଛି ।
ନୟାଗଡ଼ ପୋଲିସ ସାଇବର କବଚ ଅପରେସନ ଜରିଆରେ ତଦନ୍ତ ଚଳାଇଥିଲା । ଏହି ତଦନ୍ତ ସମୟରେ ୨୩୨୭ ମ୍ୟୁଲ୍ ଆକାଉଣ୍ଟକୁ ଯାଞ୍ଚ କରାଯାଇଥିଲା । ୧୫୨ଟି ଚେକ୍ ଉଠାଣ, ୨୪୫୭ଟି ଏଟିଏମ୍ ଉଠାଣକୁ ତଦନ୍ତ ପରିସରକୁ ଅଣାଯାଇଥିଲା । ଯାହାକୁ ନେଇ ଜିଲ୍ଲାର ବିଭିନ୍ନ ଥାନାରେ ୧୬ଟି ମାମଲା ରୁଜୁ କରାଯାଇଛି । ୩୫୭ ଜଣଙ୍କୁ ନୋଟିସ୍ କରାଯାଇଛି । ଅନ୍ୟ ଲୋକଙ୍କ ଆକାଉଣ୍ଟକୁ ଭଡ଼ା ସୁତ୍ରରେ ତଥା ସେମାନଙ୍କୁ କିଛି କମିଶନ ଦେଇ ଅପରାଧିମାନେ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରୁଥିଲେ ।
ପୂରା ଘଟଣାର ତଦନ୍ତ ସମୟରେ ଏହି ଅପରାଧରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୯ ଲକ୍ଷ ୩୨ ହଜାର ୫୪୪ ଟଙ୍କା, ୨୨ଟି ପାସବୁକ, ୩ଟି ଚେକ ବୁକ୍, ୧୨ଟି ଏଟିଏମ୍ କାର୍ଡ଼, ୯ଟି ଆଧାର ଓ ପ୍ୟାନ କାର୍ଡ଼, ୭ଟି ମୋବାଇଲ ଫୋନ୍, ୧ଟି ଲ୍ୟାପଟପ୍, ୧ଟି ବାୟୋମେଟ୍ରିକ ସ୍ମାନର ଜବତ କରାଯାଇଛି । ଦୀର୍ଘଦିନ ଧରି ଏହି ଅଭିଯୁକ୍ତମାନେ ଏକ ଗ୍ୟାଙ୍ଗ କରି ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ୍ କରୁଥିଲେ । ଅନେକ ଏଜେଣ୍ଟ ନିଯୁକ୍ତି କରି ଟଙ୍କା ଉଠାଣ କରୁଥିଲେ । ଏହି ଘଟଣାର ତଦନ୍ତ ଜାରି ରହିଛି ଏବଂ ଗିରଫ ସଂଖ୍ୟା ବୃଦ୍ଧି ପାଇବ ବୋଲି ଏସ୍ପି କହିଛନ୍ତି ।