ନନ୍ଦନକାନନକୁ ଆସିବେ ୩ ପ୍ରଜାତିର ୧୮ ଜୀବଜନ୍ତୁ

newyr25

ବରାଙ୍ଗ: ନନ୍ଦନକାନନ ଆସିବେ ନୂଆ ଅତିଥି । ୩ ପ୍ରଜାତିର ୧୮ ଜୀବଜନ୍ତୁ ଆସିବେ ନନ୍ଦନକାନନ । ଏଥିପାଇଁ ପ୍ରକ୍ରିୟା ଜାରି ରହିଛି ।  ଚଳିତବର୍ଷର ଦ୍ଵିତୀୟ ପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି । ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବଂ ଗୁଜୁରାଟର ଜୁନାଗଡ଼ ସକ୍କରବାଗ ଚିଡ଼ିଆଖାନା ମଧ୍ୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ହୋଇଛି । କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣଙ୍କ ଅନୁମୋଦନ ପରେ ଚଳିତ ବର୍ଷର ଏହା ଦ୍ଵିତୀୟ ପର୍ଯ୍ୟାୟ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା ହୋଇଛି ।

ଆଜି ସକାଳୁ ସକ୍କରବାଗ ଚିଡ଼ିଆଖାନାର ଟିମ୍ ନନ୍ଦନକାନନରୁ ଗୋଟିଏ ଓଟପକ୍ଷୀ, ୩ଟି ମାଇ ଚଉସିଙ୍ଘା ମୃଗ, ୩ଟି କୁଜି ହରିଣକୁ ସାଙ୍ଗରେ ନେଇ ଗୁଜୁରାଟ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରତିବଦଳରେ ସେଠାରୁ ୩ ପ୍ରଜାତିର ୧୮ ଜୀବଜନ୍ତୁ ନନ୍ଦନକାନନ ଆସିବେ ।  ସେମାନଙ୍କ ମଧ୍ୟରେ ଦୁଇ ହଳ ଡେମୋଇସେଲ୍ କ୍ରେନ୍, ଦୁଇ ହଳ କଲରାପତରିଆ ବାଘ, ୫ ହଳ ଜଙ୍ଗଲି ନାଲି କୁକୁଡ଼ା ଆସିବେ ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ନନ୍ଦନକାନନ ଆସିଥିଲେ ନୂଆ ଅତିଥି । ପ୍ରଥମଥର ପାଇଁ ପର୍ଯ୍ୟଟକ ଦେଖିବାକୁ ପାଇବେ ‘ରିଙ୍ଗ ଟେଲଡ୍ ଲେମୁର୍’। ଚଳିତ ବର୍ଷର ପ୍ରଥମ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଏହି ଜନ୍ତୁ ନନ୍ଦନକାନନ ଆସିଥିଲେ । ପ୍ରାଣୀଉଦ୍ୟାନ ନନ୍ଦନକାନନ ଓ ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀଉଦ୍ୟାନ ମଧ୍ୟରେ ଏହି ଜନ୍ତୁ ଅଦଳବଦଳ ପ୍ରକ୍ରିୟା ହୋଇଥିଲା ।

ନନ୍ଦନକାନନର ୮ଜଣିଆ ଟିମ୍ ବିଶାଖାପାଟଣାର ଇନ୍ଦିରା ଗାନ୍ଧୀ ପ୍ରାଣୀଉଦ୍ୟାନରୁ ସମସ୍ତ ଜନ୍ତୁଙ୍କୁ ନେଇ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ନନ୍ଦନକାନନରେ ପହଞ୍ଚିଥିଲେ । ଆସିଥିବା ୫ ପ୍ରଜାତି ମଧ୍ୟରେ ନନ୍ଦନକାନନରେ ଏକ ନୂତନ ପ୍ରଜାତି ଯୋଡ଼ି ହୋଇଥିଲା । ପ୍ରଥମ ଥର ନନ୍ଦନକାନନ ଆସିଛି ଏକ ହଳ ‘ରିଙ୍ଗ ଟେଲଡ୍ ଲେମୁର୍’ । ଏହି ବିଦେଶୀ ମାଙ୍କଡ ପ୍ରଜାତି ସାଧାରଣତଃ ଆଫ୍ରିକାର ମେଡ଼ାଗାସ୍କରରେ ଦେଖାଯାଇଥିଲେ। ଏହି ନୂତନ ପ୍ରଜାତି ଯୋଡ଼ିହେବା ପରେ ନନ୍ଦନକାନନରେ ମୋଟ୍ ଜୀବଜନ୍ତୁ ପ୍ରଜାତି ସଂଖ୍ୟା ୧୭୮କୁ ବୃଦ୍ଧି ପାଇଥିଲା । ସମସ୍ତ ଜନ୍ତୁମାନଙ୍କୁ ନନ୍ଦନକାନନର ସ୍ଵତନ୍ତ୍ର କ୍ୱାରେଣ୍ଟାଇନରେ ରଖାଯାଇ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଥିଲା ।

Leave A Reply

Your email address will not be published.