
ପୁରୀ : ପୁରୀ ଜିଲ୍ଲା ବ୍ରହ୍ମଗିରୀରେ ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ ଘଟଣା ଘଟିଯାଇଛି । ଜଣେ ନାବାଳକକୁ ରାଜରାସ୍ତାରେ ଦିଆଯାଇଛି ଅକଥନୀୟ ନିର୍ଯାତନା । ନାବାଳକର ବେକରେ ପ୍ଲାକାର୍ଡ ଝୁଲାଇ ହାତକୁ ରଶିରେ ବାନ୍ଧି ରାସ୍ତାରେ ଚଲାଇ ଚଲାଇ ନିଆଯାଉଛି । ଏଭଳି ଏକ ଘୃଣ୍ୟ ଓ ନିନ୍ଦନୀୟ ଘଟଣା ବ୍ରହ୍ମଗିରି ଅଞ୍ଚଳରେ ଚହଳ ଖେଲାଇଛି ।
ନାବାଳକର ବେକରେ ପଡ଼ିଥିବା ପ୍ଲାକାର୍ଡରେ ମୁଁ ଚୋର ବୋଲି ଉଲ୍ଲେଖ ରହିଛି । ନାବାଳକଟି ଭୁଲ ଥିଲେ ମଧ୍ୟ ତାକୁ ରାଜ ରାସ୍ତାରେ ଏଭଳି ଦଣ୍ଡ ଦେବାର ଅଧିକାର କିଏ ଦେଲା ବୋଲି ପ୍ରଶ୍ନ ଉଠିଛି ? ଭିଡ଼ିଓ ଭାଇରାଲ ପରେ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଘଟଣାରେ ହସ୍ତକ୍ଷେପ କରିଛି ।
ଏହା ଏକ ଜଘନ୍ୟ ଓ ସମ୍ବେଦନଶୀଳ ଘଟଣା । ଏ ସମ୍ପର୍କରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ବ୍ରହ୍ମଗିରି ପୋଲିସ ,ପୁରୀ ଏସପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଜିତ ମହାପାତ୍ର କଳିଙ୍ଗ ଟିଭିକୁ ସୂଚନା ଦେଇ କହିଛନ୍ତି ନାବାଳକଙ୍କୁ ନିର୍ଯାତନା ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଛି ।