
ଭୁବନେଶ୍ୱର : ବଢୁଛି ତାତି । ଏପ୍ରିଲ ନ ପସୁଣୁ ଖରା ଖଇ ଫୁଟିଲାଣି । ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ । ତାତିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ବାବଦରେ ନିଷ୍ପତ୍ତି ନିଆଯିବ । ଏ ନେଇ ବୈଠକ ବସିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଠକରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଯୋଗଦେବେ । ଏହି ବୈଠକରେ ଖରାକୁ ଦେଖି ସକାଳୁଆ ସ୍କୁଲ କେବେଠୁ ହେବ ସେ ବାବଦରେ ନିଷ୍ପତ୍ତି ନିଆଯିବ । ସକାଳୁଆ ସ୍କୁଲ ନେଇ ସୂଚନା ଦେଇଛନ୍ତି ବିଦ୍ଯାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ୪୦ ଡିଗ୍ରୀ ମୁହାଁ ପାରଦ । ୧୪ ତାରିଖରୁ ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ତାତି ୪୦ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । କାଲିଠାରୁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟମ ବୃଦ୍ଧି ପାଇବ । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, ଭବାନୀପାଟଣା ତାପମାତ୍ରା ୩୯ ଡିଗ୍ରୀ ରହିବ ।