
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ପୁଲିସ୍ ମହିପାଳପୁର ଅଞ୍ଚଳରେ ବେଆଇନ ଏଲପିଜି ସିଲିଣ୍ଡର ସଂରକ୍ଷଣ ଏବଂ କଳାବଜାରୀର ଏକ ବଡ଼ ରାକେଟର ପର୍ଦ୍ଦାଫାସ କରିଛି। ପୁଲିସ୍ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବଂ ସେମାନଙ୍କ ନିକଟରୁ ମୋଟ ୭୪ ଟି ଏଲପିଜି ସିଲିଣ୍ଡର, ଗ୍ୟାସ ସ୍ଥାନାନ୍ତର ଉପକରଣ, ଓଜନ ମେସିନ ଏବଂ ଏକ ଟାଟା ଏସ ଗୋଲ୍ଡ ଗାଡି ଜବତ କରିଛି। ଗିରଫ ଅଭିଯୁକ୍ତମାନେ କୃଷ୍ଣ, ଦିନେଶ ସାହୁ ଏବଂ ମିଥିଳେଶ ବୋଲି ଜଣାପଡିଛି। ଅଭିଯୁକ୍ତମାନେ ଗତ ତିନି ବର୍ଷ ଧରି ମହିପାଳପୁର ଅଞ୍ଚଳରେ ଏଲପିଜି ସିଲିଣ୍ଡରର ଅବୈଧ ଯୋଗାଣ ଏବଂ କଳାବଜାରୀରେ ଜଡିତ ଥିଲେ।
ମାର୍ଚ୍ଚ ୨୧ ତାରିଖରେ ମହିପାଳପୁରର ଘର ନମ୍ବର କେ-୮୪୫ ରେ ବହୁ ସଂଖ୍ୟକ ଏଲପିଜି ସିଲିଣ୍ଡର ବେଆଇନ ଭାବରେ ଗଚ୍ଛିତ ଥିବା ପୁଲିସକୁ କୌଣସି ବିଶ୍ଵସ୍ତ ସୂତ୍ରରୁ ଜଣାପଡିଥିଲା। ଏହାପରେ ଏଏଟିଏସ୍ ଦଳ ତୁରନ୍ତ ସେହି ସ୍ଥାନରେ ଚଢାଉ କରି ୩ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା। ଯାଞ୍ଚ ସମୟରେ ପୁଲିସ୍ କୁ ୭୦ଟି ଘରୋଇ ଏବଂ ୪ଟି ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମିଳିଥିଲା। ଏଥିମଧ୍ୟରୁ ୫୪ ଟି ଭର୍ତ୍ତି ଏବଂ ତିନୋଟି ବ୍ୟବହୃତ ହୋଇଥିଲା। ଏହା ବ୍ୟତୀତ ପୁଲିସ୍ ଏକ ଇଲେକ୍ଟ୍ରୋନିକ୍ ଓଜନ ମେସିନ୍ ଏବଂ ଗ୍ୟାସ୍ ସ୍ଥାନାନ୍ତର ପାଇଁ ଧାତବ ପାଇପ୍ ଜବତ କରିଛି।