
ସୋର : ଥାନାଠୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ତହସିଲଦାରଙ୍କୁ ଆକ୍ରମଣ । ଗାଡ଼ି କାଗଜପତ୍ର ଯାଞ୍ଚ ସମୟରେ ସୋର ତହସିଲଦାରଙ୍କୁ ବାଲି ମାଫିଆ ଆକ୍ରମଣ ଅଭିଯୋଗ ହୋଇଛି । ତହସିଲଦାର ଚିନ୍ମୟ ରାଉତ ଓ ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂହ ଅନନ୍ତପୁରରୁ ସୋର ଅଭିମୁଖେ ଫେରୁଥିବା ବେଳେ ଅଇଁରୀ ଛକ ନିକଟରେ OD 22AC 3662 ନମ୍ବର ବିଶିଷ୍ଟ ବେଆଇନ ବାଲିବୋଝେଇ ଗାଡ଼ିର କାଗଜପତ୍ର ଯାଞ୍ଚ କରିଥିଲେ । କାଗଜପତ୍ର ଦେଖାଇବା ପରିବର୍ତ୍ତେ ଚାଳକ ଓ ତାଙ୍କର ସହଯୋଗୀ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ । ଏହାସହ ଜରୁରୀ କାଗଜପତ୍ର ଛଡ଼ାଇ ଫେରାର ହୋଇଯାଇଥିଲେ ।
ଅନନ୍ତପୁର ପୋଲିସ ଘଟଣାସ୍ଥଳରୁ ଗାଡ଼ିକୁ ଜବତ କରିବା ପରେ ମଧ୍ୟ ବାଲି ମାଫିଆ ଜୋର ଜବରଦସ୍ତ ବାଲି ଅଧା ଅନଲୋଡ କରିଦେଇଥିଲେ। ତହସିଲଦାରଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଥାନାଠୁ ମାତ୍ର ଏକ କିଲୋମିଟର ଦୂରରେ ତହସିଲଦାରଙ୍କୁ ଆକ୍ରମଣ ପ୍ରଶ୍ନବାଚୀ ସୃଷ୍ଟି କରିଛି ।