ବାଇକକୁ ଧକ୍କା ଦେଲା ଟ୍ରକ, ଦମ୍ପତି ମୃତ

newyr25

ଜଗତସିଂହପୁର: ବାଇକକୁ ଧକ୍କା ଦେଲା ଟ୍ରକ । ଚାଲିଗଲା ଦମ୍ପତିଙ୍କ ଜୀବନ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଫକୀରପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍ବାମୀ-ସ୍ତ୍ରୀ ବାଇକରେ ଯାଉଥିବାବେଳେ ଦ୍ରୁତ ଗତିରେ ଆସି ଏକ ଟ୍ରକ ଧକ୍କା ଦେଇଥିଲା ।  ଘଟଣାସ୍ଥଳରେ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ନେଇ ବାଇକ ଯୋଗେ ଜଗତସିଂହପୁର ଅଭିମୁଖେ ଯାଉଥିବା ବେଳେ ଫକୀର ପଡ଼ା ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କର ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ।

ସେହିପରି ଗତକାଲି କେରାପୁଟ ଜିଲ୍ଲା ପାତ୍ରପୁଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ବାଇକକୁ ଧକ୍କା ଦେଇଥିଲା ବୋଲେରୋ । ଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ଉଭୟ ମୃତକ ଜୟପୁର ଅଞ୍ଚଳର ବୋଲି ଜଣାପଡିଥିଲା ।

ସେହିପରି ଗତକାଲି କଟକ ଜିଲ୍ଲା କାନପୁର ଥାନା ଚାମ୍ପେଶ୍ୱର ଠାରେ ଦୁର୍ଘଟଣା ଘଟିଥିଲା । ସାଇକେଲ ଆରୋହୀଙ୍କୁ ଯାତ୍ରୀବାହୀ ବସ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ସହ ବସ୍ ଡ୍ରାଇଭରଙ୍କୁ ଗିରଫ ଦାବିରେ ରାସ୍ତାରୋକ କରିଥିଲେ । ରାସ୍ତାରୋକ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା ।

Leave A Reply

Your email address will not be published.