
ୱାସିଂଟନ: ଇରାନ ଯୁଦ୍ଧକୁ ମାସେ ହୋଇଥିବାବେଳେ ଏହାର ଫଳାଫଳ ନେଇ କୌଣସି ସ୍ପଷ୍ଟତା ଦେଖାଯାଉନି। ଯୁଦ୍ଧ ଆରମ୍ଭରେ ଆମେରିକା ଓ ଇସ୍ରାଏଲ ଏହାକୁ ଯେତେ ସହଜ ମନେ କରୁଥିଲେ ବାସ୍ତବତା କିନ୍ତୁ ଭିନ୍ନ ରହିଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଏକ ପ୍ରାଇଭେଟ ଫୋନ୍ କଲ ଦୁଇ ସହଯୋଗୀ ଦେଶ ମଧ୍ୟରେ ନିରବ ମତଭେଦକୁ ପରିପ୍ରକାଶ କରୁଛି। ଚିରାଚରିତ କୂଟନୀତିଠାରୁ ଅଲଗା ଏହି କଥାବାର୍ତ୍ତାରେ ପ୍ରାରମ୍ଭରେ କିପରି ଯୁଦ୍ଧକୁ ନେଇ ପ୍ରସ୍ତୁତି ଓ ବର୍ତ୍ତମାନର ସ୍ଥିତିକୁ ନେଇ ୱାସିଂଟନ ବିଚଳିତ ଅଛି ତାହା ଜଣାପଡ଼ୁଛି। ଯୁଦ୍ଧ ଆଗକୁ ବଢ଼ୁଥିବାବେଳେ ଇରାନର ଆଭ୍ୟନ୍ତରୀଣ ସମସ୍ୟା ଓ କ୍ଷମତା ପରିବର୍ତ୍ତନ ନେଇ ଆମେରିକା ଓ ଇସ୍ରାଏଲର ଆକଳନ ଭୁଲ ଥିଲା କି ବୋଲି ପ୍ରଶ୍ନ ଉଠିଛି।
‘ଆକ୍ସିଓ’ ଦ୍ବାରା ପ୍ରକାଶିତ ସୂତ୍ର ଅନୁଯାୟୀ, ଇରାନର ଆଭ୍ୟନ୍ତରୀଣ ଅଶାନ୍ତି ନେଇ ଭାନ୍ସ ସିଧାସଳଖ ଯୁଦ୍ଧ ପୂର୍ବରୁ ନେତାନ୍ୟାହୁଙ୍କ ଆକଳନକୁ ଚାଲେଞ୍ଜ କରିଛନ୍ତି। ‘ଆକ୍ସିଓ’ ଅନୁଯାୟୀ, ଭାନ୍ସ କହିଛନ୍ତି ଯେ, ଯୁଦ୍ଧ ପୂର୍ବରୁ ନେତାନ୍ୟାହୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଇରାନରେ କ୍ଷମତା ପରିବର୍ତ୍ତନ ପୂରାପୂରି ସହଜ ବୋଲି ଖୁବ୍ ସହଜରେ ବୁଝାଇ ଦେଇଥିଲେ। ନେତାନ୍ୟାହୁଙ୍କ ଅନେକ ଆକଳନ ଆଶାବାଦୀ ଥିଲା ବୋଲି ଭାନ୍ସ କହିଥିଲେ।
ଏହି ଫୋନ୍ କଲର ଦିନକ ପରେ ୱେଷ୍ଟ ବ୍ୟାଙ୍କରେ ହିଂସାକୁ ନେଇ ଭାନ୍ସ ନେତାନ୍ୟାହୁଙ୍କ ଉପରେ ଚିତ୍କାର କରିଥିଲେ ବୋଲି ଇସ୍ରାଏଲର ଏକ ଦକ୍ଷିଣପନ୍ଥୀ ଖବରକାଗଜ ପ୍ରକାଶ କରିଥିଲା। ତେବେ ଏହି ରିପୋର୍ଟର ବାସ୍ତବିକତାକୁ ନେଇ ଆମେରିକୀୟ ଓ ଇସ୍ରାଏଲୀୟ ସୂତ୍ର ମଧ୍ୟରେ ମତଭେଦ ଦେଖାଯାଇଛି। ଭାନ୍ସଙ୍କୁ ଇସ୍ରାଏଲ ସରକାରରେ ଥିବା କିଛି ଲୋକ ବଦନାମ କରିବାକୁ ଏପରି ଷଡ଼ଯନ୍ତ୍ର କରୁଥିବା ହ୍ବାଇଟ୍ ହାଉସ ଅଧିକାରୀମାନେ କହିଛନ୍ତି। ଅନ୍ୟପକ୍ଷରେ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପରି ଖବର ପ୍ରକାଶନ କରାଯିବାରେ ସେମାନଙ୍କର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି।