
କେନ୍ଦ୍ରାପଡ଼ା: ଓଡ଼ିଶା ମାଟିର ଗୌରବଗାଥା ଏବଂ ପୂଜ୍ୟପୂଜାର ପବିତ୍ର ପରମ୍ପରାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା ପଞ୍ଚାୟତରେ ଏକ ଭାବପୂର୍ଣ୍ଣ ସନ୍ଧ୍ୟା ଅତିବାହିତ ହୋଇଯାଇଛି। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାଳିତ ଏହି ‘ଉତ୍କଳ ଦିବସ’ କେବଳ ଏକ ସରକାରୀ ଉତ୍ସବ ନୁହେଁ, ବରଂ ଶ୍ରଦ୍ଧା ଓ ସମ୍ମାନର ଏକ ମହାମିଳନରେ ପରିଣତ ହୋଇଥିଲା। ଯେତେବେଳେ ଅତିଥିମାନେ ମଞ୍ଚ ସମ୍ମୁଖରେ ଉପବିଷ୍ଠ ଗାଁର ‘ଅଶୀତିପର ବୟୋଜ୍ୟଷ୍ଠ’ ମାନଙ୍କ ନିକଟକୁ ଯାଇ ସେମାନଙ୍କୁ ସମ୍ମାନିତ କଲେ ସେତେବେଳେ ଉପସ୍ଥିତ ସମସ୍ତଙ୍କ ଆଖିରେ ଏକ ଅଜଣା ଆବେଗ ଖେଳିଯାଇଥିଲା।

ବଡ଼ବେତରା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ପାଟକୁରାର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ମହାପାତ୍ର ମୁଖ୍ୟ ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ। ସେହିପରି ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭେଷଜ ବିଜ୍ଞାନୀ ତଥା ଏମ୍ସର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର ନିଜ ବକ୍ତବ୍ୟରେ ଓଡ଼ିଶାର ଅସ୍ମିତା ଓ ଗାରିମାର ଚିତ୍ର ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ଅଶୋକ ଦାଶ ଓଡ଼ିଶା ଗଠନର ସେହି ସଂଘର୍ଷମୟ ଦିନଗୁଡ଼ିକୁ ମନେ ପକାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ଏହି ସମାରୋହର ସବୁଠାରୁ ଭାବୁକ ମୁହୂର୍ତ୍ତ ଥିଲା ‘ପୂଜ୍ୟପୂଜା’ ପରମ୍ପରା। ଗ୍ରାମର ଅଶୀତିପର ବୃଦ୍ଧବୃଦ୍ଧାମାନଙ୍କୁ ଯେତେବେଳେ ସମ୍ବର୍ଦ୍ଧିତ କରାଗଲା, ସେତେବେଳେ ସମସ୍ତେ ଅନୁଭବ କଲେ ଯେ ସେମାନେ କେବଳ ବ୍ୟକ୍ତି ନୁହନ୍ତି, ବରଂ ଗୋଟିଏ ଗୋଟିଏ ‘ଜୀବନ୍ତ ଇତିହାସ’। ଦୀର୍ଘ ଆଠ ଦଶନ୍ଧିର ଅନୁଭୂତି, ସଂଘର୍ଷର କାହାଣୀ ଏବଂ ତ୍ୟାଗକୁ ସମ୍ମାନ ଜଣାଇ ଅତିଥିମାନେ କହିଥିଲେ ଯେ, “ଏହି ବୟୋଜ୍ୟଷ୍ଠମାନେ ହେଉଛନ୍ତି ସମାଜର ବଟବୃକ୍ଷ, ଯାହାଙ୍କ ଶୀତଳ ଛାୟାରେ ଆମେ ଆଜି ସୁରକ୍ଷିତ।” ସେମାନଙ୍କର ସେହି ପାଚିଲା କେଶ ଏବଂ କୁଞ୍ଚିତ ମୁହଁରୁ ଝରି ପଡୁଥିବା ଆଶୀର୍ବାଦ ସମଗ୍ର ପରିବେଶକୁ ପବିତ୍ର କରି ଦେଇଥିଲା।
ଏହି ସ୍ମରଣୀୟ ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ କୃଷି ବିଜ୍ଞାନୀ ଗୁରୁପ୍ରସାଦ ତ୍ରିପାଠୀ, ସମାଜସେବୀ ରମାକାନ୍ତ ମିଶ୍ର, ଅଧ୍ୟାପକ ପ୍ରଦୀପ କୁମାର ଜେନା, ସମାଜସେବୀ ଶୁକଦାନନ୍ଦ ପ୍ରଧାନ ଓ ବିଜନ ରାୟ ପ୍ରମୁଖ ଉପସ୍ଥିତ ରହି ବୟୋଜ୍ୟଷ୍ଠଙ୍କୁ ସମ୍ମାନ ଜଣାଇବା ଏକ ଉଚ୍ଚକୋଟୀର ପରମ୍ପରା ବୋଲି ଅଭିହିତ କରିଥିଲେ।
ଶ୍ରୀଯୁକ୍ତ ହରିହର ତ୍ରିପାଠୀଙ୍କ ଚମତ୍କାର ସଞ୍ଚାଳନ ସମସ୍ତଙ୍କ ମନ ଛୁଇଁଥିବା ବେଳେ, ପରିଶେଷରେ ଗରଦପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭୟ ମହାରାଜ ନିଜର ସାରଗର୍ଭକ ବକ୍ତବ୍ୟ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବୟୋଜ୍ୟଷ୍ଠଙ୍କ ପ୍ରତି ପ୍ରଦର୍ଶିତ ଏହି ସମ୍ମାନ ଓ ଶ୍ରଦ୍ଧା ସ୍ଥାନୀୟ ଅଞ୍ଚଳରେ ଏକ ନୂତନ ଜାଗରଣ ସୃଷ୍ଟି କରିଥିବା ବେଳେ, ସମସ୍ତଙ୍କ ମନରେ ଏକ ଅଭୁଲା ସ୍ମୃତି ହୋଇ ରହିଗଲା।