ଲୋକସଭା ଆସନ ସଂଖ୍ୟା ବୃଦ୍ଧି ଯୋଜନାକୁ ନେଇ ମୋଦୀଙ୍କୁ ସମାଲୋଚନା କଲା କଂଗ୍ରେସ

add-all

ନୂଆଦିଲ୍ଲୀ: ଲୋକସଭା ଆସନ ସଂଖ୍ୟା ବୃଦ୍ଧି ପ୍ରସ୍ତାବକୁ ନେଇ ରବିବାର କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛି। ଏହି ପଦକ୍ଷେପ ବୃହତ୍ ଓ ଅଧିକ ଜନବହୁଳ ରାଜ୍ୟଗୁଡ଼ିକୁ ଅସମାନୁପାତିକ ଭାବେ ଲାଭାନ୍ବିତ କରିବ, ଯାହା ‘ଜନ ବିଭ୍ରାଟର ଅସ୍ତ୍ର (ଡବ୍ଲ୍ୟୁଏମ୍‌ଡି)’ ହେବ ବୋଲି ଦଳ ଅଭିଯୋଗ କରିଛି।
କଂଗ୍ରେସ ସାଧାରଣ ସମ୍ପାଦକ ଓ ଯୋଗାଯୋଗ ପ୍ରଭାରୀ ଜୟରାମ ରମେଶ କହିଛନ୍ତି, ପ୍ରଧାନମନ୍ତ୍ରୀ ପ୍ରତାରଣା କରିବା ପାଇଁ ବିଭ୍ରାନ୍ତିକର ମନ୍ତବ୍ୟ ଦେବାର ସାଧାରଣ କୌଶଳ ଅନୁସରଣ କରୁଛନ୍ତି। ସେ କହୁଛନ୍ତି, ଯଦି ଲୋକସଭାର ଶକ୍ତି ୫୦ ପ୍ରତିଶତ ବୃଦ୍ଧି କରାଯାଏ ଏବଂ ଲୋକସଭାରେ ପ୍ରତ୍ୟେକ ରାଜ୍ୟର ଆସନ ସଂଖ୍ୟା ମଧ୍ୟ ୫୦ ପ୍ରତିଶତ ବୃଦ୍ଧି କରାଯାଏ ତେବେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହେବେ ନାହିଁ।
ରମେଶ କହିଛନ୍ତି, ଲୋକଙ୍କୁ ଭଣ୍ଡେଇବାରେ ପ୍ରଧାନମନ୍ତ୍ରୀଙ୍କର ଅନନ୍ୟ ପାରଦର୍ଶିତା ରହିଛି। ଏହାଦ୍ବାରା ରାଜ୍ୟ ପ୍ରତିନିଧିତ୍ୱ ମଧ୍ୟରେ ବ୍ୟବଧାନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ। ଉଦାହରଣ ସ୍ୱରୂପ, ଲୋକସଭାରେ ଉତ୍ତରପ୍ରଦେଶ ଓ କେରଳର ଆସନ ମଧ୍ୟରେ ବ୍ୟବଧାନ ବର୍ତ୍ତମାନ ୬୦ ଏବଂ ମୋଦୀଙ୍କ ପ୍ରସ୍ତାବ ଏହାକୁ ୯୦କୁ ବୃଦ୍ଧି କରିବ। ସେହିପରି ଉତ୍ତରପ୍ରଦେଶ ଓ ତାମିଲନାଡୁ ମଧ୍ୟରେ ପାର୍ଥକ୍ୟ ୪୧ରୁ ଅତି କମ୍‌ରେ ୬୧କୁ ବୃଦ୍ଧି ପାଇବ। ଏହାଦ୍ବାରା ଅଧିକ ଜନସଂଖ୍ୟା ଥିବା ରାଜ୍ୟ ଲାଭାନ୍ବିତ ହେବେ। ପଞ୍ଜାବ, ହରିୟାଣା ଓ ଉତ୍ତର-ପୂର୍ବ ଭଳି ରାଜ୍ୟରେ ସେମାନଙ୍କର ଆପେକ୍ଷିକ ପ୍ରଭାବ ହ୍ରାସ ପାଇବ।
ଦେଶ ଏକ ଗୁରୁତର ଅର୍ଥନୈତିକ ଓ ବୈଦେଶିକ ନୀତି ସଙ୍କଟର ସମ୍ମୁଖୀନ ହେଉଛି। ଅର୍ଥପୂର୍ଣ୍ଣ ପରାମର୍ଶ ଓ ବ୍ୟାପକ ଜନ ବିତର୍କ ବିନା ଲୋକସଭା ଓ ବିଧାନସଭାର ଶକ୍ତି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତିତ ଅଛନ୍ତି। ଏହା ଜନ ବିଭ୍ରାଟର ଅସ୍ତ୍ର (ଡବ୍ଲ୍ୟୁଏମ୍‌ଡି) ବ୍ୟତୀତ ଆଉ କିଛି ନୁହେଁ ବୋଲି ସେ କହିଛନ୍ତି। ୨୦୨୩ରେ ମହିଳା ସଂରକ୍ଷଣ ଆଇନ ପାରିତ ହେବା ପରେ ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଥିବା ବେଳେ ବର୍ତ୍ତମାନ ନିର୍ବାଚନ ଋତୁରେ ଡବଲ୍ କ୍ରେଡିଟ୍ ନେବାକୁ ଚେଷ୍ଟା କରୁଛନ୍ତି। ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଲୋକସଭାର ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରିବାକୁ ସରକାରଙ୍କ ଯୋଜନାକୁ ନେଇ ରାଜନୈତିକ ବିବାଦ ମଧ୍ୟରେ ଏହି ମନ୍ତବ୍ୟ ଆସିଛି।

Leave A Reply

Your email address will not be published.