
ଭୁବନେଶ୍ୱର : ଅସହ୍ୟ ଖରା, ଗରମରୁ ମିଳିଲା ଆଶ୍ୱସ୍ତି। ବଦଳିଲା ପାଗ। ବିଭିନ୍ନ ସ୍ଥାନରେ କାଳବୈଶାଖୀ , ଘଡଘଡି, ବିଜୁଳି, ପବନ ମାଡ, କୁଆପଥର ସହ ହୋଇଛି ପ୍ରବଳ ବର୍ଷା। ବିଶେଷ କରି ବରଗଡ଼, ପାଟଣାଗଡ଼, କଳାହାଣ୍ଡି କଲମପୁରରେ କାଳବୈଶାଖୀର ତାଣ୍ଡବ ଦେଖାଯାଇଛି। ପ୍ରବଳ ମାତ୍ରାରେ କୁଆପଥର ବର୍ଷା ହୋଇଛି। ଗଛ ଉପୁଡ଼ିବା ସହ ବିଦ୍ୟୁତ୍ ସେବା ମଧ୍ୟ ବ୍ୟାହତ ହୋଇଛି। ଫସଲ ନଷ୍ଟ ହେବା ସହ ଘରର ଛପର ଉଡି କ୍ଷତିଗ୍ରସ୍ତ ହୋଇଛି। ଗତ କିଛି ଦିନ ହେବ ଦିନରେ ପ୍ରବଳ ଖରା, ଗରମ କାରଣରୁ ତାତିରେ ଅସ୍ତବ୍ୟସ୍ତ ହେଉଥିଲେ ରାଜ୍ୟବାସୀ। ଦିନରେ ଖରା ପରେ ସନ୍ଧ୍ୟାରେ ଆଶ୍ୱସ୍ତି ଆଣୁଛି କାଳବୈଶାଖୀ।
ରାଜ୍ୟରେ ୧୦ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ। ଆସନ୍ତା ସପ୍ତାହ ଯାଏ ପଶ୍ଚିମା ଝଡ ଓ କାଳବୈଶାଖୀ ପ୍ରଭାବ ରହିବ। ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ଘଡଘଡି, ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୭ ଓ ୮ ତାରିଖରେ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଘଡଘଡି ନେଇ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ୯ ଯାଏ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝଡ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ବିଜୁଳି, ଝଟକା ପବନ, ଘଡଘଡି ସହ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ଗଞ୍ଜାମ ଓ ଖୋର୍ଦ୍ଧାରେ। ଭୁବନେଶ୍ୱରରେ ୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ରେକର୍ଡ କରାଯାଇଛି। ବର୍ତ୍ତମାନ ଗୋଟିଏ ଘୂର୍ଣ୍ଣିବଳୟ ଓଡିଶା ଉପରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଜୁଳି ଘଡଘଡି ସହ ହାଲୁକା ପବନର ସମ୍ଭାବନା ରହିଛି। କିଛି ସ୍ଥାନରେ କୁଆପଥର ବର୍ଷା ହେବାର ରହିଛି। ବିଶେଷ କରି ମୟୁରଭଞ୍ଜ, ବାଲେଶ୍ୱରରେ ବର୍ଷା ସହିତ ବିଜୁଳି, ଘଡଘଡି ୫୦ ରୁ ୬୦ କିମି ବେଗରେ ପବନ ଓ କୁଆପଥର ବର୍ଷା ସମ୍ଭାବନା ରହିଛି। ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳକୁ ମଧ୍ୟ ବର୍ଷା ପବନର ସମ୍ଭାବନା ରହିଛି। ୫୦ ରୁ ୬୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି।
ଅନ୍ୟ ଜିଲା ଗୁଡିକରେ ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ମାଲକାନଗିରି, କୋରାପୁଟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନ୍ୟ ଜିଲାରେ ୩୦ ରୁ ୪୦ କିମି ବେଗରେ ପବନ ରହିଛି। ଆସନ୍ତାକାଲି ପାଇଁ ମଧ୍ୟ ବର୍ଷାର ସମ୍ଭାବନା ରହିଛି। ଉତ୍ତରଓଡିଶାରେ କିଛି କିଛି ସ୍ଥାନରେ ବିଜୁଳି, ଘଡଘଡି ବର୍ଷା, ପବନର ସମ୍ଭାବନା ରହିଛି। ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉପକୂଳବର୍ତ୍ତୀ ଜିଲାରେ ମଧ୍ୟ ବର୍ଷା, ପବନର ସମ୍ଭାବନା ରହିଛି। ୮ ତାରିଖରେ ମଧ୍ୟ ବାଲେଶ୍ୱର, ମୟୁରଭଞ୍ଜରେ ବିଜୁଳି, ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ବର୍ଷାର ସମ୍ଭାବନା ରହିଛି। ଅନ୍ୟ ଜିଲାରେ ପାଗ ଶୁଖିଲା ରହିବ। ୯ ତାରିଖରେ ମଧ୍ୟ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲାରେ ୩୦ରୁ ୪୦ କିମି ବେଗରେ ପବନ, ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ୧୦ ତାରିଖରେ ମଧ୍ୟ ବାଲେଶ୍ୱର, ଭଦ୍ରକରେ ବର୍ଷା ସମ୍ଭାବନା ରହିଛି। ୧୦ ତାରିଖ ପରଠାରୁ ବର୍ଷା ହେବାର ବିଶେଷ ସମ୍ଭାବନା ନାହିାଁ ପାଗ ଶୁଖିଲା ରହିବ। ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ।