ମାଡ୍ରାସ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ତାମିଲନାଡୁର ୯ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡାଦେଶ

add-all

ମଦୁରାଇ: ସଥାନକୁଲମ ହାଜତ ମୃତ୍ୟୁ ମାମଲାରେ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସାମ୍ନାକୁ ଆସିଛି। ମାଡ୍ରାସ୍ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ତାମିଲନାଡୁ ପୋଲିସର ୯ ଜଣ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛନ୍ତି। କୋର୍ଟ ଏହି ଘଟଣାକୁ ‘ବିରଳରୁ ବିରଳତମ’ ଅର୍ଥାତ ଅତ୍ୟନ୍ତ ଜଘନ୍ୟ ଅପରାଧ ଭାବେ ବର୍ଗିକୃତ କରି କଠିନ ଦଣ୍ଡାଦେଶ କରିଛନ୍ତି। ଦୀର୍ଘ ୬ ବର୍ଷ ଧରି ଚାଲିଥିବା ଟ୍ରାୟଲ ପରେ କୋର୍ଟ ସୋମବାର ଏହି ରାୟ ଦେଇଛନ୍ତି। ମାମଲାର ଶୁଣାଣି ଫାଷ୍ଟ ଆଡିସନାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନସ ଜଜ୍ ଜି.ମୁଥୁକୁମାରନଙ୍କ କୋର୍ଟରେ ହେଉଥିଲା।

କୋର୍ଟ ମାମଲାର ସମସ୍ତ ୯ ଜଣ ଅଭିଯୁକ୍ତଙ୍କୁ ହତ୍ୟା ଓ ଅନ୍ୟ ସମ୍ବଦ୍ଧିତ ଧାରାରେ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଏହି ମାମଲା ଅତ୍ୟଧିକ କ୍ରୁରତା ଓ ପଦବୀର ଦୂରୁପଯୋଗର ସ୍ପଷ୍ଟ ଉଦାହରଣ। ଏହି ମାମଲା ଟୁଟିକୋରିନ ଜିଲ୍ଲା ସଥାନକୁଲମ ସମ୍ପର୍କିତ। ଏଠାରେ ବ୍ୟବସାୟୀ ପି.ଜୟରାଜ ଓ ତାଙ୍କ ପୁଅ ବେନିକ୍ସଙ୍କର ପୋଲିସ ହାଜତରେ ମୃତ୍ୟୁ ହୋଇଥିଲା। ଦୁଇ ଜଣଙ୍କୁ ପୋଲିସ ୧୯ ଜୁନ ୨୦୨୦ରେ କୋଭିଡ-୧୯ ଲକଡାଉନ ନିୟମ ଉଲ୍ଲଂଘନ ଲାଗି ଗିରଫ କରିଥିଲା। ଅଭିଯୋଗ ଥିଲା ଯେ ସେମାନେ ତାଙ୍କର ମୋବାଇଲ ଆସୋସରିଜ ଦୋକାନ ନିର୍ଦ୍ଧାରିତ ସମୟ ପରେ ବି ଖୋଲା ରଖିଥିଲେ।

ତଦନ୍ତ ବେଳେ ଜଣାପଡିଛି ଯେ ପୋଲିସ ହାଜତରେ ଦୁଇଜଣଙ୍କ ପ୍ରତି ଲଗାତାର ଓ ବର୍ବର ମାରପିଟ କରାଯାଇଛି। ସେମାନଙ୍କୁ ସାରା ରାତି ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ରିପୋର୍ଟ ଅନୁସାରେ ଦୁଇଜଣଙ୍କୁ ବ୍ଲଣ୍ଟ ଫୋର୍ସ ଟ୍ରମା ଓ ଭାରି ରକ୍ତସ୍ରାବ ଭଳି ଆଘାତ ଲାଗିଥିଲା, ଯାହା ସେମାନଙ୍କ ମୃତ୍ୟୁର କାରଣ ହୋଇଥିଲା। ଏହି ଘଟଣା ପରେ ସାରା ଦେଶରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ପୋଲିସ ହାଜତରେ ହେଉଥିବା ହିଂସାକୁ ନେଇ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ ଓ ନ୍ୟାୟ ଦାବି କରିଥିଲେ। ପରିସ୍ଥିତି ଏତେ ଜଟିଳ ହୋଇପଡିଥିଲା ଯେ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ନ୍ୟସ୍ତ କରାଯାଇଥିଲା।

୬ ବର୍ଷ ପରେ ଆସିଲା ରାୟ, ୯ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ
ସିବିଆଇ ତଦନ୍ତରେ ଏହି ଅତ୍ୟାଚାର ପୂର୍ବ ଯୋଜନା ଅନୁରୂପ ଥିଲା ଓ ପୁରା ରାତି ଜାରି ଥିଲା। ଅଭିଯୁକ୍ତମାନ ଜାଣିଶୁଣି ଏହି ଘଟଣା ଭିଆଇଥିଲେ ବୋଲି ସିବିଆଇ କୋର୍ଟରେ ତର୍କ ରଖିଥିଲା। ଏଣୁ ଅଭିଯୁକ୍ତମାନଙ୍କୁ ଅଧିକରୁ ଅଧିକତମ ଦଣ୍ଡାଦେଶ କରିବାକୁ ନିବେଦନ କରିଥିଲା। କୋର୍ଟ ସିବିଆଇଙ୍କ ଏହି ତର୍କକୁ ସ୍ୱୀକାର କରିଛନ୍ତି। ଏହି ମାମଲାରେ ଯେଉଁ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ସେମାନେ ହେଲେ ଇନିସପେକ୍ଟର ଏସ୍.ଶ୍ରୀଧର, ସବ ଇନିସପେକ୍ଟର ପି.ରଘୁ ଗଣେଶ, କେ.ବାଲକୃଷ୍ଣନ, ହେଡ କନଷ୍ଟେବଲ ଏସ୍.ମୁରୁଗନ ଓ ଏ.ସମଦୂରଇ, କନଷ୍ଟେବଲ ଏ.ମୁଥୁରାଜ, ଏସ.ଚେଲ୍ଲାଦୂରଇ, ଏକ୍ସ.ଥମସ୍ ଫ୍ରାନସିସ୍ ଓ ଏସ.ଭେଲୁମୁଥୁ ।

ଏହି ମାମଲାରେ ଜଣେ ୧୦ମ ଅଭିଯୁକ୍ତ ମଧ୍ୟ ଥିଲା। ସେ ହେଉଛି ସ୍ପେଶାଲ ସବଇନିସପେକ୍ଟର ପଲ ଦୂରଇ। ତେବେ କୋଭିଡ-୧୯ରେ ତାର ମୃତ୍ୟୁ ହୋଇଥିଲା । କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ମାମଲା ସାଧାରଣ ଅପରାଧ ନୁହେଁ। ପୋଲିସ ନିଜ ଶକ୍ତିର ଦୂରୁପଯୋଗ କରି ଅତ୍ୟଧିକ କ୍ରୁରତା ପ୍ରଦର୍ଶନ କରିଛି। ଏଣୁ ଏହି ମାମଲାକୁ ବିରଳରୁ ବିରଳତମ ଅପରାଧ ଶ୍ରେଣୀରେ ସାମିଲ କରି ମୃତ୍ୟୁଦଣ୍ଡ ଉଚିତ ବୋଲି କହିଛନ୍ତି। କୋର୍ଟଙ୍କ ଏହି ରାୟ ନା କେବଳ ପୀଡିତ ପରିବାରଙ୍କ ଲାଗି ନ୍ୟାୟ ଦିଗରେ ବଡ଼ ପଦକ୍ଷେପ ମନେ କରାଯାଉଛି ବରଂ ପୁରା ଦେଶରେ ପୋଲିସ ହାଜତରେ ହେଉଥିବା ଘଟଣା ପ୍ରତି କଡ଼ା ବାର୍ତ୍ତା ମଧ୍ୟ ଦେଉଛି। ଏଥିରୁ ସ୍ପଷ୍ଟ ପ୍ରତୀତ ହୋଇଛି ଯେ ଆଇନ ଉପରେ କେହି ନାହିଁ, ହୁଏତ ଏହା ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ହୁଅନ୍ତୁ ନାହିଁକି।

Leave A Reply

Your email address will not be published.