ବୁଧବାରଠାରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ଗଣତି ମଣତିର ଦ୍ବିତୀୟ ପର୍ଯ୍ୟାୟ

add-all

ପୁରୀ : ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗତ ୨୫ ତାରିଖରେ ଆରମ୍ଭ ହୋଇଥିବା ରତ୍ନ ଭଣ୍ଡାର ଗଣତି ମଣତି ଦ୍ବିତୀୟ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଯାଉଛି। ବୁଧବାର (୮ ଅପ୍ରିଲ୍‌ରୁ) ସକାଳୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ପୁନଃ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଚଳନ୍ତି ରତ୍ନ ଗଣତି ହୋଇଥିବା ବେଳେ ଆସନ୍ତାକାଲି ବାହାର ଭଣ୍ଡାର ଖୋଲା ହେବ।
ଏହା ଲଗାତାର ୪ ଦିନ ଧରି ୧୧ ତାରିଖ ଯାଏଁ ଚାଲିବ। ୧୨ ତାରିଖ ରବିବାର ବନ୍ଦ ରହି ପୁଣି ଥରେ ୧୩ ତାରିଖରେ ହେବ। ୧୪ ଓ ୧୫ ଦୁଇଦିନ ବନ୍ଦ ରହିବା ପରେ ୧୬ରୁ ୧୮ ତାରିଖ ତିନିଦିନ ଲଗାତାର ଜାରି ରହିବ। ଏହା ପରେ କେବେ ଗଣତି ହେବ ସେ ନେଇ ଆଲୋଚନା ପରେ ତାରିଖ ଧାର୍ଯ୍ୟ ହେବ। ଗଣତି ପ୍ରକ୍ରିୟା ଚାଲିଥିବା ବେଳେ ଶ୍ରୀଜୀଉଙ୍କ ନୀତିରେ ବ୍ୟାଘାତ ହେବ ନାହିଁ। ସୁରକ୍ଷା ଦୃଷ୍ଟିରୁ ଭକ୍ତମାନଙ୍କୁ ବାହାର କାଠ ନିକଟରେ ଦର୍ଶନ କରିବାକୁ ସୁଯୋଗ ଦିଆଯିବ। ଭିତର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିବ। ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସଂପାଦନ ନିମନ୍ତେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବେ। ଏଥିପାଇଁ ପାଳିଆ ସେବକମାନଙ୍କୁ ସ୍ବତନ୍ତ୍ର ପାସ୍‌ର ବ୍ୟବସ୍ଥା କରାଯାଇଛି। ଆଜି ଠାରୁ ପାସ୍‌ ବଣ୍ଟାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ପୂର୍ବଦିନମାନଙ୍କ ଭଳି ରତ୍ନଭଣ୍ଡାର ଗଣତି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ ପାଇଁ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ। ଗତ ୨୫ ତାରିଖ ଦିନ ରତ୍ନ ଭଣ୍ଡାର ଗଣତି ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ରତ୍ନ ସବୁ ଗଣାଯାଇ ୧୯୭୮ ମସିହା ତାଲିକା ସହ ମେଳକ କରାଯାଇଥିଲା। ଅଳଙ୍କାର ସବୁକୁ ଅଲଗା ଅଲଗା ସିନ୍ଧୁକରେ ରଖାଯିବା ସହ ସବୁ ରତ୍ନର କ୍ୟାଟଲଗ୍‌ ପ୍ରସ୍ତୁତ କରାଯାଇଥିଲା। ୧୨ଟା ୯ରୁ ସନ୍ଧ୍ୟା ୬ଟା ୧୦ ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଧରି ଚାଲିଥିବା ଏହି ପ୍ରଥମ ଦିନର ଗଣତି ପ୍ରକ୍ରିୟା ସରିବା ପରେ ଭଣ୍ଡାର ମେକାପଙ୍କୁ ଏହି ରତ୍ନସବୁ ମଣତି କରାଯାଇଥିଲା। ରତ୍ନଗୁଡ଼ିକର ଓଜନ କରାଯିବା ସହ ପ୍ରଥମ ଥର ପାଇଁ ମୁଖ୍ୟ ଅଳଙ୍କାରଗୁଡ଼ିକର ୩ଡି-ମ୍ୟାପିଂ କରାଯାଇଥିଲା। ବାହାର ଓ ଭିତର ରତ୍ନଭଣ୍ଡାରର ରତ୍ନଗୁଡ଼ିକର ଗଣତିମଣତି ପରେ ଏଭଳି ପ୍ରକ୍ରିୟ ଅବଲମ୍ବନ କରାଯିବା ସୂଚନା ମିଳିଛି।

Leave A Reply

Your email address will not be published.