
ନୂଆଦିଲ୍ଲୀ, ୦୭/୦୪ : ମଧ୍ୟପ୍ରାଚ୍ୟ ଅସ୍ଥିର । ସରୁନି ଯୁଦ୍ଧ । ବାରମ୍ବାର ଇରାନ ଉପରେ ଆକ୍ରମଣ କରୁଛନ୍ତି ଇସ୍ରାଏଲ ଏବଂ ଆମେରିକା । ଲଗାତାର ଭାବେ ୟୁଏସ ପ୍ରେସିଡେଣ୍ଟ୍ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସାମ୍ନାକୁ ଆସୁଛି । ମଙ୍ଗଳବାର ସେ ଇରାନବାସୀଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି । ଗୋଟିଏ ରାତିରେ ପୂରା ସଭ୍ୟତା ଲୋପ୍ ପାଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଯାହାର ଜବାବ ଦେଇଛି ଇରାନ ।
ଟ୍ରମ୍ପ କହିଛନ୍ତି, ଯଦି ସ୍ଥିତି ପରିବର୍ତ୍ତନ ନହୁଏ ତେବେ, ଆଜି ରାତିରେ ଏକ ପୁରୁଣା ସଭ୍ୟତାର ଅନ୍ତ ହୋଇପାରେ । ଯାହା ଆଉ କେବେ ଫେରିପାରିବ ନାହିଁ । ସେ କହିଛନ୍ତି ଯେ, ଏଭଳି ଘଟୁ ବୋଲି ମୁଁ ଚାହୁଁନାହିଁ । କିନ୍ତୁ ଏଭଳି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ହୁଏତ କିଛି କ୍ରାନ୍ତିକାରୀ ଘଟଣା ଘଟିପାରେ, କିଛି ଅଦ୍ଭୁତ ହୋଇପାରେ ।
ଇରାନ ରାଷ୍ଟ୍ରପତି ମାସୁଦ୍ ପେଜେସକିଆନ୍ କହିଛନ୍ତି ଯେ, ସେ ଦେଶ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଅଛନ୍ତି । ଇରାନୀମାନେ ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ପ୍ରାଣବଳୀ ଦେବାକୁ ଆଗଭର ରହିଛନ୍ତି । କୋଟିଏ ଚାଳିଶ ଲକ୍ଷ ନାଗରିକ ଗର୍ବର ସହ ଦେଶ ପାଇଁ ସର୍ବୋଚ୍ଚ ତ୍ୟାଗ କରିପାରିବେ ।
ରିପୋର୍ଟ ଅନୁସାରେ, ଇରାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ତଥା ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଖାର୍ଗରେ ଆକ୍ରମଣ କରାଯାଇଛି । ଆମେରିକା ଏବଂ ଇସ୍ରାଏଳ ମିଳିତ ଭାବେ ଏହାକୁ ଟାର୍ଗେଟ୍ କରିଥିବା କୁହାଯାଉଛି । ଫଳରେ ସାରା ବିଶ୍ୱରେ ତୈଳ କାରବାର ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଏଠାରୁ ଇରାନ ନିଜର ତୈଳ ରପ୍ତାନୀ କରିଥାଏ ।
ଗତ ସପ୍ତାହରେ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ କହିଥିଲେ ଯେ, ‘ଇରାନରେ ଆମର ସାମରିକ ଅଭିଯାନ ବନ୍ଦ କରିବା ପାଇଁ ଆମେରିକା ଏକ ନୂତନ ଏବଂ ଅଧିକ ବୁଦ୍ଧିମାନ ଶାସକଙ୍କ ସହିତ ଆଲୋଚନା କରୁଛି। ଆଲୋଚନା ଯଥେଷ୍ଟ ଅଗ୍ରଗତି ହୋଇଛି । କିନ୍ତୁ ଯଦି କୌଣସି କାରଣରୁ, ଶୀଘ୍ର ଏକ ଚୁକ୍ତିନାମା ନହୁଏ ଏବଂ ହର୍ମୁଜ୍ ପ୍ରଣାଳୀ ତୁରନ୍ତ ଖୋଲା ନଯାଏ, ତେବେ ଆମେ ଇରାନରେ ଶକ୍ତି କେନ୍ଦ୍ର, ତୈଳ କୂପ, ଖାର୍ଗ ଦ୍ୱୀପ ଧ୍ୱଂସ କରିଦେବୁ ।