ଭୁବନେଶ୍ୱରରେ ଓଡ଼ିଶା ପୋଲିସର ପ୍ରଥମ ‘ପେନସନ ଓ ଜିପିଏଫ ଅଦାଲତ’ ଅନୁଷ୍ଠିତ: ଅବସରପ୍ରାପ୍ତ କର୍ମଚାରୀଙ୍କ ସମସ୍ୟାର ହେଲା ତୁରନ୍ତ ସମାଧାନ

add-all

ଭୁବନେଶ୍ୱର: ଅବସରପ୍ରାପ୍ତ ପୋଲିସ କର୍ମଚାରୀମାନଙ୍କ ପେନସନ ଓ ଆର୍ଥିକ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। ଭୁବନେଶ୍ୱରସ୍ଥିତ ସପ୍ତମ ବାଟାଲିୟନ ପରିସରରେ ଓଡ଼ିଶା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଏବଂ ଅକାଉଣ୍ଟାଣ୍ଟ ଜେନେରାଲ (A&E) କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ‘ପେନସନ ଏବଂ ଜିପିଏଫ ଅଦାଲତ’ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତରେ ମୁଖ୍ୟତଃ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପେନସନ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ଶୁଣାଣି କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଉଦଘାଟନ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶା ପୋଲିସ କର୍ମଚାରୀଙ୍କ ପାଇଁ ପ୍ରଥମ ଥର ପାଇଁ ଏହିପରି ଏକ ପଦକ୍ଷେପ ନିଆଯାଇଛି, ଯାହା ପେନସନଭୋଗୀଙ୍କ କଲ୍ୟାଣ କ୍ଷେତ୍ରରେ ଏକ ମାଇଲଷ୍ଟୋନ ଭାବେ ପରିଗଣିତ ହେବ। ଏହି ଅଦାଲତ ମାଧ୍ୟମରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଗ୍ରାଚୁଇଟି, ଜିପିଏଫ, ପରିବାର ପେନସନ ଏବଂ ଅନ୍ୟାନ୍ୟ ଆର୍ଥିକ ସମସ୍ୟାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରାଯାଇଛି।

ଅଦାଲତରେ ସମୁଦାୟ ୬୮ ଜଣ ପେନସନଭୋଗୀ ଉପସ୍ଥିତ ରହି ସେମାନଙ୍କ ସମସ୍ୟା ଉପସ୍ଥାପନ କରିଥିଲେ। ସମସ୍ତ ମାମଲାକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବା ସହ ୧୬ ଜଣ ଉପଭୋକ୍ତାଙ୍କୁ Pension Payment Order (PPO), Gratuity Payment Order (GPO) ଏବଂ GPF ସୂଚନା ପତ୍ର ପ୍ରଦାନ କରାଯାଇଥିଲା। ଶ୍ରୀ ପ୍ରିୟଦର୍ଶୀଙ୍କ ସହ ଉପ ମହାଲେଖାକାର ଶ୍ରୀ ସ୍ୱାମୀ ଶୁଭମ ବୈଜନାଥ ଏହି ପତ୍ରଗୁଡ଼ିକୁ ବିତରଣ କରିଥିଲେ।

ଏହି ଶୁଣାଣି ସମୟରେ ରାଜ୍ୟ ପୋଲିସ ମୁଖ୍ୟାଳୟର ଆର୍ଥିକ ପରାମର୍ଶଦାତା ଶ୍ରୀମତୀ ମମତା ମଲ୍ଲିକ, ଅର୍ଥ ଅଧିକାରୀ ଶ୍ରୀ ସରୋଜ କୁମାର ନାଏକ ଏବଂ ଏ.ଜି. କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶ୍ରୀ ଶରତ କୁମାର ମହାପାତ୍ର, ଶ୍ରୀ ବିଶ୍ୱାସ କୁମାର ସିହ୍ନା ଓ ରବି କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଅବସରପ୍ରାପ୍ତ କର୍ମଚାରୀମାନେ ଯେପରି ନିଜର ନ୍ୟାଯ୍ୟ ପ୍ରାପ୍ୟ ପାଇଁ ଅଫିସକୁ ବାରମ୍ବାର ଦୌଡ଼ି ହଇରାଣ ନ ହୁଅନ୍ତି, ତାହାକୁ ନିଶ୍ଚିତ କରିବା ଏବଂ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ହିଁ ଏହି ଅଭିନବ ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ad-week
Leave A Reply

Your email address will not be published.