
ନୂଆଦିଲ୍ଲୀ : ଆସାମ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ ହୋଇଛି । ଆସନ୍ତା ୯ ତାରିଖ ଏହି ରାଜ୍ୟଗୁଡିକରେ ଭୋଟଗ୍ରହଣ କରାଯିବ । ଆସାମ ବିଧାନସଭାର ୧୨୬, କେରଳର ୧୪୦ ଏବଂ ପୁଡୁଚେରୀର ୩୦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ଫଳାଫଳ ମଇ ୪ରେ ଘୋଷଣା କରାଯିବ । ପ୍ରଚାର କାର୍ଯ୍ୟରେ ଗୀତ, ନାଚ କିମ୍ବା ମତଦାତାଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ କୌଣସି ପ୍ରକାର ମେନାରଂଜନ ଭଳି ସାଂସ୍କ୍ତିକ କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ଲାଗିଛି ।
ଆସାମ ବିଧାନସଭା ନିର୍ବାଚନରେ ୨.୫ କୋଟି ଭୋଟର ରହିଛନ୍ତି, ଏଥିରେ ୧.୨୫ କୋଟି ପୁରୁଷ, ୧.୨୫ କୋଟି ମହିଳା ଏବଂ ୩୪୩ ୩ୟ ଲିଙ୍ଗ ରହିଛନ୍ତି । କେରଳରେ ୧୪୦ ସିଟରେ ୮୯୦ ପ୍ରାର୍ଥୀ ରହିଛନ୍ତି । କେରଳରେ ୨.୭୧ କୋଟି ଭୋଟର ରହିଛନ୍ତି । ଏଥିରେ ୧.୩୨ କୋଟି ପୁରୁଷ ଏବଂ ୧.୩୯ କୋଟି ମହିଳା ଏବଂ ୨୭୩ ୩ୟ ଲିଙ୍ଗ ରହିଛନ୍ତି । ପଡୁଚେରୀରେ ୯.୪୪ ଲକ୍ଷ ଭୋଟର ରହିଛନ୍ତି । ୪.୪୩ ଲକ୍ଷ ପୁରୁଷ ଏବଂ ୫ ଲକ୍ଷ ମହିଳା ଏବଂ ୧୩୯ ୩ୟ ଲିଙ୍ଗ ରହିଛନ୍ତି ।
କେରଳରେ ପିନାରାଇ ବିଜୟନଙ୍କ ଏଲଡିଏଫ୍ ବର୍ତ୍ତମାନ ଶାସନ କରୁଛି । କେରଳରେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ (ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ) ପୁଣି କ୍ଷମତାକୁ ଫେରିବାକୁ ଉଦ୍ୟମ ଚଳାଇଛି । ପୁଡୁଚେରୀରେ ଏନଆର କଂଗ୍ରେସ ଓ ବିଜେପିର ମେଣ୍ଟ ସରକାର କ୍ଷମତାରେ ଥିବାବେଳେ ଏହା ପୁଣି ବିଜୟୀ ହେବ ବୋଲି ଚର୍ଚ୍ଚା ଚାଲିଛି ।