
ଉତ୍ତରପ୍ରଦେଶ : ବୃନ୍ଦାବନ ଯମୁନା ନଦୀରେ ଓଲଟିଲା ଡଙ୍ଗା । ଡଙ୍ଗା ବୁଡ଼ିବାରୁ ୧୦ ଜଣକ ମୃତ୍ୟୁ ହୋଇଥିବା ବେଳେ ଅଧିକ ନିଖୋଜ ରହିଛନ୍ତି । ନଦୀରେ ନିର୍ମିତ ହୋଇଥିବା ପୀପା ପୋଲ ନିକଟରେ ଶ୍ରଦ୍ଧାଳୁଙ୍କ ଡଙ୍ଗା ବୁଡିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଏବଂ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଉତ୍ତରପ୍ରଦେଶ ବୃନ୍ଦାବନର କେଶି ଘାଟରେ ଯମୁନା ନଦୀରେ ଡଙ୍ଗା ବୁଡିବାରୁ ୧୦ ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣ ଚାଲିଯାଇଛି । ଡଙ୍ଗାରେ ଥିବା ଲୋକଙ୍କ ମଧ୍ୟରୁ ଅଧିକ ନିଖୋଜ ରହିଛନ୍ତି । ଡଙ୍ଗାରେ ୨୫ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯମୁନା ନଦୀରେ ସର୍ଚ୍ଚ ଅପରେସନର ଜାରି ରହିଛି । ବୁଡ଼ାଳି ନିଖୋଜ ଲୋକଙ୍କୁ ଖୋଜୁଛନ୍ତି । ମଥୁରା ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖୁଛନ୍ତି ।
ଡଙ୍ଗା ବୁଡିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ବିଷୟରେ ତଦାରଖ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଯଥାଶୀଘ୍ର କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।