ଗ୍ରୀନ ମେମୋରୀ କ୍ୟାମ୍ପେନ : ଭାବନାରୁ ଜନଆନ୍ଦୋଳନ, ଜାତୀୟ ମଞ୍ଚରେ ପ୍ରତିଧ୍ୱନି ଜାତୀୟସ୍ତରୀୟ ଫୋରମରେ ପ୍ରଦର୍ଶିତ ହେଲା “ଗ୍ରୀନ ମେମୋରୀ କ୍ୟାମ୍ପେନ”

ସୁନ୍ଦରଗଡ : “ଗ୍ରୀନ ମେମୋରୀ କ୍ୟାମ୍ପେନ” – ମଣିଷ ସମାଜକୁ ପରିବେଶ ସୁରକ୍ଷା ପ୍ରତି ସଚେତନ କରିବାର ଏକ ଅଭିନବ ପରମ୍ପରା। ବ୍ୟକ୍ତିଗତ ସ୍ତରରେ ହେଉ ବା ଗୋଷ୍ଠୀଗତ ସ୍ତରରେ ବିଭିନ୍ନ ସ୍ମରଣୀୟ ଦିବସ ଯଥା- ଜନ୍ମଦିନ, ବିବାହ ବାର୍ଷିକୀ, ନୂତନ ଗୃହ ଆରମ୍ଭ, ନୂତନ ଯାନ ବାହନ କ୍ରୟ, ବିଭିନ୍ନ ପରୀକ୍ଷାରେ ସଫଳତା, ମୃତ ପ୍ରିୟଜନଙ୍କ ସ୍ମୃତି ତଥା ବିଭିନ୍ନ ପାରିବାରିକ ଉତ୍ସବକୁ ଆହୁରି ସ୍ଵତନ୍ତ୍ର କରିବା ନିମନ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇବା ଓ ଆଜୀବନ ଏହାର ସୁରକ୍ଷା ସୁନିଶ୍ଚିତ କରିବା ହେଉଛି ଏହି ଅଭିଜାନର ମୂଳ ଲକ୍ଷ୍ୟ। ସୁନ୍ଦରଗଡର ବରିଷ୍ଠ ସମାଜସେବୀ ତଥା ପରିବେଶବିତ ଦିଗାମ୍ବର ଉପାଧ୍ୟାୟ ୨୦୨୩ ଅଗଷ୍ଟ ୨୨ ତାରିଖ ଦିନ ନିଜ ପୁଅର ଜନ୍ମଦିନରେ ଆରମ୍ଭ କରିଥିଲେ ଏହି ଅନନ୍ୟ ଅଭିଜାନ “ ଗ୍ରୀନ ମେମୋରୀ କ୍ୟାମ୍ପେନ”। ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବକ” ର ପ୍ରତ୍ୟକ୍ଷ ସହଯୋଗ ଓ ମାର୍ଗଦର୍ଶନ ଦ୍ଵାରା ଏହି ଗ୍ରୀନ ମେମୋରୀ କ୍ୟାମ୍ପେନ ବର୍ତ୍ତମାନ ଓଡିଶାର ଆଠଟି ଜିଲ୍ଲାକୁ ବ୍ୟାପିବା ସହିତ ରାଜ୍ୟ ବାହାରେ ମଧ୍ୟ ଲୋକପ୍ରିୟତା ହାସଲ କଲାଣି। ବର୍ତ୍ତମାନ ସୁଦ୍ଧା ଏହି ଅଭିଜାନରେ ଓଡିଶାର ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ବୌଦ୍ଧ, ସୁବର୍ଣ୍ଣପୁର, ଅନୁଗୁଳ, ଦେବଗଡ ଜିଲ୍ଲାର ଶତାଧିକ ପରିବେଶ ପ୍ରେମୀ, ସ୍ଵେଚ୍ଛାସେବୀ, ଅନୁଷ୍ଠାନ ଏଥିରେ ଆଗ୍ରହର ସହିତ ସାମିଲ ହେଇଥିବା ବେଳେ ନିଜ ନିଜର ବିଭିନ୍ନ ସ୍ମରଣୀୟ ଦିବସରେ ସାଧ୍ୟମତେ ବୃକ୍ଷରୋପଣ କରି ଏହି ଅଭିଜାନକୁ ସଫଳ କରୁଛନ୍ତି ।
ଏ ପର୍ଯ୍ୟନ୍ତ ଏହି ଅଭିଜାନରେ ୨୯୧୩୨ ଟି ବୃକ୍ଷରୋପଣ ହୋଇସାରିଥିବା ବେଳେ ନିକଟ ଅତୀତରେ ରାଜ୍ୟ ବାହାରେ ତଥା ବିଦେଶ ମାଟି ଥାଇଲାଣ୍ଡରେ ମଧ୍ୟ ଏହାର କାୟା ବିସ୍ତାର କରିବାରେ ସଫଳ ହୋଇଛି । କ୍ୟାମ୍ପେନ୍ର ସଫଳତା ପଛରେ ରହିଛି ଏକ ସଫଳ ଓ ସୁସଞ୍ଜୋଜିତ ପ୍ରକ୍ରିୟା। ସ୍ଥାନୀୟ ଯୁବକମାନଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବେ ଜୋଡ଼ାଯାଇଛି। ସେହିପରି ସ୍କୁଲ୍ ଓ କଲେଜ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା କାର୍ୟକ୍ରମ ଆୟୋଜନ କରାଯାଇ ପରିବେଶ ପ୍ରତି ଦାୟିତ୍ୱବୋଧ ଉତ୍ପନ୍ନ କରାଯାଉଛି। ସମାଜିକ ମାଧ୍ୟମରେ ନିୟମିତ ପୋଷ୍ଟିଂ, ସହିତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆ ମାଧ୍ୟମରେ ଏହି କ୍ୟାମ୍ପେନ୍କୁ ବ୍ୟାପକ ପରିଚିତି ମିଳିଛି। ଏହା ସହିତ ଗ୍ରାମ ସଭାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଯାହା ମାଧ୍ୟମରେ ଗାଁସ୍ତରରେ ଏହାକୁ ପ୍ରଚାର କରାଯାଉଛି। ଜଳ, ଜମି ଓ ଜଙ୍ଗଲ ପରି ପ୍ରାକୃତିକ ଓ ସର୍ବ ସାଧାରଣ ସମ୍ପଦର ସୁରକ୍ଷା, ପରିଚାଳନା ଓ ସସ୍ଥାୟୀ ବ୍ୟବହାରକୁ କେନ୍ଦ୍ର କରି “କମନ ଗ୍ରାଉଣ୍ଡ” ଏକ ଜାତୀୟ ସ୍ତରର ମଞ୍ଚ ଭାବେ କାର୍ଯ୍ୟ କରୁଛି। ଏହା ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ସଫଳ ପ୍ରୟାସ, ନୂତନ ଅଭିନବିକରଣ ଓ ସମାଜମୂଖୀ କାର୍ୟକଳାପଗୁଡ଼ିକୁ ଏକତ୍ର କରିବା ସହିତ ଅନୁଭବ ବିନିମୟ ପାଇଁ ଏକ ସାଧାରଣ ମଞ୍ଚ ପ୍ରଦାନ କରୁଛି। ଆଜି ଜାତୀୟ ସ୍ତରୀୟ ଫୋରମ “କମନ ଗ୍ରାଉଣ୍ଡ” ତରଫରୁ ଆୟୋଜିତ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମ “ସେୟାରିଙ୍ଗ ସ୍ପେସ”ରେ ଆଜି ଗ୍ରୀନ ମେମୋରୀ କ୍ୟାମ୍ପେନର ସଫଳ କାହାଣୀ ପ୍ରଦର୍ଶିତ ହୋଇଥିଲା। ଆଜି ଗ୍ରୀନ ମେମୋରୀ କ୍ୟାମ୍ପେନର ପ୍ରତିଷ୍ଠାତା ତଥା “ସେବକ” ର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦିଗାମ୍ବର ଉପାଧ୍ୟାୟ କମନ ଗ୍ରାଉଣ୍ଡ ତରଫରୁ ଆୟୋଜିତ “ସେୟାରିଙ୍ଗ ସ୍ପେସ” ର ଜାତୀୟ ଫୋରମରେ ଏହି ନିଆରା ଅଭିଜାନର ବଳିଷ୍ଠ ଉପସ୍ଥାପନା କରିଥିଲେ। ଦେଶର ବିଭିନ୍ନ ଅଞ୍ଚଳରୁ ଆଠ ଟି ସଫଳ କାହାଣୀ ଉପସ୍ଥାପନା କରାଯାଇଥିବା ବେଳେ ଓଡିଶାରୁ ଏକମାତ୍ର ସଫଳ କାହାଣୀ ଭାବରେ “ଗ୍ରୀନ ମେମୋରୀ କ୍ୟାମ୍ପେନ” ର ପ୍ରଦର୍ଶନ କରାଯାଇଥିଲା। ସେବକ ତରଫରୁ କାର୍ଯ୍ୟକ୍ରମକୁ ସ୍ନିଗ୍ଧାରାଣୀ ମହାକୁଳ, ସୁରଭି ଖରସେଲ, ଇନ୍ଦୁମତି ଲାକ୍ରା, ରିଚାର୍ଡ କୁଜୁର, ଲକ୍ଷ୍ମୀପ୍ରିୟା ମଲ୍ଲ, ଆରତୀ ସରେଙ୍ଗ ପ୍ରମୁଖ ପରିଚାଳନା କରିଥିଲେ।