
ବ୍ରହ୍ମପୁର, ୧୨ ଅପ୍ରେଲ : ସ୍ଥାନୀୟ ଖଲ୍ଲିକୋଟ କଲେଜ ପଡ଼ିଆଠାରେ ଅନୁଷ୍ଠିତ ହେଉଥିବା ବହୁ ପ୍ରତିକ୍ଷିତ ‘ରେଶମ ସହର ମହୋତ୍ସବ’ ସହିତ ‘ସୁଭଦ୍ରା ଶକ୍ତି’ ଓ ‘ଆତ୍ମନିର୍ଭର ଭାରତ ସ୍ଵଦେଶୀ ମେଳା’ ଶନିବାର ସନ୍ଧ୍ୟାରେ ବେଶ୍ ଆଡ଼ମ୍ବର ସହକାରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ନାରୀ ସଶକ୍ତୀକରଣ ଓ ଗଞ୍ଜାମର ସାଂସ୍କୃତିକ ଐତିହ୍ୟ ଉପରେ ନିଜର ବଳିଷ୍ଠ ଅଭିଭାଷଣ ରଖିଥିଲେ।
ସାଂସଦ ଶ୍ରୀମତୀ ଶୁଭଦର୍ଶିନୀ କହିଥିଲେ ଯେ, ଆଗାମୀ ଦିନରେ ‘ନାରୀ ଅଧିନିୟମ ବିଧେୟକ’ ପାରିତ ହେବା ପରେ ଦେଶର ମହିଳାମାନେ ଆହୁରି ସଶକ୍ତ ଓ ସ୍ୱାବଲମ୍ବୀ ହେବେ। ଏହି କଲ୍ୟାଣକାରୀ ପଦକ୍ଷେପ ପାଇଁ ସେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ। ଗଞ୍ଜାମର କଳା, ସାହିତ୍ୟ ଓ ପରମ୍ପରା ସାରା ଦେଶ ପାଇଁ ଏକ ମଡେଲ୍ ବୋଲି ଉଲ୍ଲେଖ କରି ସେ କହିଥିଲେ, “ଗଞ୍ଜାମବାସୀ ସବୁବେଳେ ନିଜର ସ୍ୱାଭିମାନ ଓ ସଂସ୍କୃତି ପାଇଁ ଗର୍ବିତ। ଜିଲ୍ଲାକୁ ପ୍ରଗତିର ଏକ ଅନୁକରଣୀୟ ଶିଖରରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ।”
ଏହି ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ନୀତି ଶେଖର, ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ, ଆରକ୍ଷୀ ଅଧିକ୍ଷକ ଡକ୍ଟର ସର୍ବଣା ବିବେକ ଏମ୍, ବରିଷ୍ଠ ସମାଜସେବୀ ସାରଦା ପ୍ରସାଦ ଶତପଥୀ ଓ ସରୋଜ ସାବତ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ କୁମାର ମହୋତ୍ସବର ସଫଳତା ପାଇଁ ବ୍ରହ୍ମପୁରବାସୀଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ବର୍ଷମାନଙ୍କରେ ଏହି ମହୋତ୍ସବର କଳେବରକୁ ଆହୁରି ବୃଦ୍ଧି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାପାଳ ଓ ଆରକ୍ଷୀ ମହାନିରୀକ୍ଷକ ରେଶମ ପାଟର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ମହାନଗର ନିଗମ କମିଶନର ଅଭିରାମ ଶଙ୍କର ରେଡ୍ଡୀ ଏବଂ ଉପଜିଲ୍ଲାପାଳ ଅବିନାଶ କୁମାର ମଧ୍ୟ ମଞ୍ଚାସୀନ ଥିଲେ। ସମାଜସେବୀ ଶ୍ରୀ ଶତପଥୀ କହିଥିଲେ ଯେ, ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟମୀ ମନୋଭାବ ସୃଷ୍ଟି କରିବାରେ ଏହି ମେଳା ସଫଳ ହୋଇଛି। ଏହି ଅବସରରେ ଜିଲ୍ଲାର ଗର୍ବ ଆୟୁଷି ଦାସ, ସିମାଞ୍ଚଳ ବାରିକଙ୍କ ସମେତ ବିଭିନ୍ନ ସଫଳ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆଙ୍କ ସଙ୍ଗୀତରେ ଦର୍ଶକମାନେ ଝୁମି ଉଠିଥିଲେ। ଏଥିସହ ‘କଳିଙ୍ଗ ନୃତ୍ୟ ଧାରା’, ‘ଅନିରୁଦ୍ଧ ଡ୍ୟାନ୍ସ ଏକାଡେମୀ’, ‘ମିନି ମିରାକଲ୍’, ‘କଳା ବିକାଶ କେନ୍ଦ୍ର’ ଏବଂ ଗୁରୁ କେଳୁଚରଣ କଳା କେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ଓ ଆଧୁନିକ ନୃତ୍ୟ ବର୍ଷାକ୍ତ ସନ୍ଧ୍ୟାକୁ ଅଧିକ ରଙ୍ଗୀନ କରିଥିଲା। ହଜାର ହଜାର ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କଳାତ୍ମକ ମାହୋଲର ମଜା ଉଠାଇଥିଲେ।