
ନୂଆଦିଲ୍ଲୀ: ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ପରଲୋକ । ପରଲୋକ ନେଇ ସୂଚନା ଦେଲେ ପୁଅ ଆନନ୍ଦ ଭୋସଲେ । ୯୨ ବର୍ଷ ବୟସରେ ଆଖି ବୁଜିଲେ ଆଶା ଦିଦି । ଗତକାଲି ଏପ୍ରିଲ ୧୧ ଶନିବାର ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଶା ଭୋସଲେ, ଗୁରୁତର ଦୁର୍ବଳତା ଏବଂ ଛାତିରେ ଇନଫେକ୍ସନ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
୧୯୩୩ ସେପ୍ଟେମ୍ବର ୮ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମିଗ୍ରହଣ କରିଥିଲେ ଆଶା ଭୋସଲେ । ସେ ପ୍ରସିଦ୍ଧ ଥିଏଟର କଳାକାରଶାସ୍ତ୍ରୀୟ ସଙ୍ଗୀତ ଗାୟକ ଦୀନାନାଥ ମଙ୍ଗେସକରଙ୍କ ଝିଅ ଏବଂ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସାନ ଭଉଣୀ । ଦୀର୍ଘ ୭ ଦଶନ୍ଧିର କ୍ୟାରିୟର ମଧ୍ୟରେ ୧୪ରୁ ଅଧିକ ଭାରତୀୟ ଭାଷାରେ ସେ ୧୨ ହଜାରରୁ ଅଧିକ ଗୀତ ଗାଇଛନ୍ତି । ସଙ୍ଗୀତ କ୍ଷେତ୍ରକୁ ଅବଦାନ ଲାଗି ଏହି କିମ୍ବଦନ୍ତୀ ଗାୟିକାଙ୍କୁ ଅନେକ ପୁରସ୍କାର ଏବଂ ସମ୍ମାନ ମିଳିଛି । ୧୯୯୭ ମସିହାରେ ଗ୍ରାମୀ ପୁରସ୍କାର ଲାଗି ନୋମିନେଟ୍ ହେବାରେ ସେ ପ୍ରଥମ ଭାରତୀୟ ଗାୟିକା । ୨୦୦୦ ମସିହାରେ ତାଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ଏବଂ ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା ।