ଟାୟାର ବଦଳୁଥିବା ବେଳେ ମାଡ଼ିଗଲା ଟ୍ରକ, ୫ ମୃତ

add-all

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଡିଣ୍ଡୋରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଠିଆ ହୋଇଥିବା ପାଞ୍ଚ ଜଣ ଲୋକଙ୍କୁ ଧକ୍କା ଦେଇଥିଲା ଟ୍ୟାଙ୍କର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ଦୁଇଜଣ ବ୍ୟକ୍ତି ପ୍ରାୟ ୧୦ ଫୁଟ ଉଚ୍ଚକୁ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାଟି ଗଡା ସରାଇ ଥାନା ଅଧୀନସ୍ଥ କିକ୍ରା ଗ୍ରାମ ନିକଟରେ ଘଟିଛି ।

ଖବର ମୁତାବକ, ସମସ୍ତ ମୃତକ ପରସ୍ୱାହ ଗ୍ରାମର ବାସିନ୍ଦା । ଏକ ଅନ୍ତିମ ସଂସ୍କାର ସାରି ଘରକୁ ଫେରୁଥିଲେ । ପ୍ରାୟ ୧୨:୩୦ ରେ ସେମାନଙ୍କର ପିକଅପ୍ ଭ୍ୟାନର ଟାୟାର ଫାଟିଯାଇଥିଲା । ଡ୍ରାଇଭର ଟାୟାର ବଦଳାଇବା ପାଇଁ ଗାଡ଼ିକୁ ରାସ୍ତା କଡ଼ରେ ଅଟକାଇଥିଲେ । ଏମାନେ କଥାବାର୍ତ୍ତା କରିବାକୁ ବାହାରକୁ ବାହାରି ଆସିଥିଲେ। ସେହି ସମୟରେ ପଛପଟୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ୟାଙ୍କର ଲୋକଙ୍କୁ ଧକ୍କା ଦେଇଥିଲା । ଟ୍ୟାଙ୍କର ଡ୍ରାଇଭର ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ପାଞ୍ଚ ଜଣ ବ୍ୟକ୍ତି ଗୋଟିଏ ପରିବାରର ସଦସ୍ୟ ଥିଲେ ।

ଘଟଣା ବିଷୟରେ ସୂଚନା ପାଇବା ପରେ, କଲେକ୍ଟର ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରଶାସନ ରେଡକ୍ରସ୍ ସୋସାଇଟିରୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଏବଂ ମୃତକଙ୍କ ପରିବାର ପାଇଁ ସମ୍ବଲ ଯୋଜନାରେ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି । ପୋଲିସ ଘଟଣାରେ ଜଡିତ ଗାଡ଼ିକୁ ଜବତ କରିଛି ଏବଂ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.