
ନୂଆଦିଲ୍ଲୀ: ସମୁଦ୍ରରେ ସୃଷ୍ଟି ହେବ ମରଣଯନ୍ତା । ହରମୁଜ ପ୍ରଣାଳୀରେ ଆମେରିକା ନୌସେନାର ଅବରୋଧ । ପୁଣିଯୁଦ୍ଧ ପରିସ୍ଥିତି ସୃଷ୍ଟି । ଶାନ୍ତି ଆଲୋଚନା ବିଫଳ ହେବା ପରେ ଆରମ୍ଭ ହୋଇଛି ଛକାପଞ୍ଝା । ଆଜିଠୁ ସମୁଦ୍ରରେ ଇରାନକୁ ଘେରିବ ଆମେରିକା। ଇରାନ ବନ୍ଦରକୁ ସବୁ ରାସ୍ତା ବନ୍ଦ କରିଦେବ ଆମେରିକା ନୌସେନା । ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ‘ହରମୁଜ ପ୍ରଣାଳୀ’ କୁ ଅବରୋଧ କରିବା ପାଇଁ ଆମେରିକୀୟ ନୌସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଡୋନାଲ୍ଟ ଟ୍ରମ୍ପ। ଇରାନ ସହ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ ଟ୍ରମ୍ପ ଏହି କଠୋର ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ କହିଛନ୍ତି, କୌଣସି ବି ଜାହାଜ ଏହି ପଥ ଦେଇ ଯାତାୟାତ କରିପାରିବେ ନାହିଁ । ଯଦି ଆମେରିକା କିମ୍ବା ଅନ୍ୟ କୌଣସି ଶାନ୍ତିପୂର୍ଣ୍ଣ ଜାହାଜ ଉପରେ ଇରାନ ଆକ୍ରମଣ କରେ, ତେବେ ତାକୁ ଧ୍ୱଂସ କରିଦିଆଯିବ। ଇରାନର ପରମାଣୁ କାର୍ଯ୍ୟକ୍ରମ ଏବଂ ସମୁଦ୍ର ପଥ ଉପରେ ଏକଛତ୍ରବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି ।
ଇରାନ ସେନା (IRGC) କହିଛି, ସମୁଦ୍ର ପଥ ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଆମେରିକା ଯଦି କୌଣସି ଭୁଲ୍ ପଦକ୍ଷେପ ନିଏ, ତେବେ ତାକୁ ସମୁଦ୍ର ଭିତରେ ଏକ ‘ମରଣଯନ୍ତା’ ର ସାମ୍ନା କରିବାକୁ ପଡ଼ିବ। ସେମାନେ ଛୋଟ ଯୁଦ୍ଧ ଜାହାଜ, ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ଆମେରିକାକୁ ରୋକିବାକୁ ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ଏହି ସଂଘର୍ଷରେ ବ୍ରିଟେନ, ଜାପାନ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ କୋରିଆ ପରି ଦେଶମାନେ ଆମେରିକାକୁ ସହଯୋଗ କରିବାକୁ ସଙ୍କେତ ଦେଇଛନ୍ତି । ତେବେ ସ୍ପେନ୍ ପରି କିଛି ଦେଶ ଏହି ଯୁଦ୍ଧ ମଧ୍ୟକୁ ପଶିବା ପାଇଁ ସାବଧାନତା ଅବଲମ୍ବନ କରୁଛନ୍ତି । ହରମୁଜ ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ୨୦ରୁ ୩୦% ତୈଳ ପରିବହନ ହୋଇଥାଏ। ଏହି ପଥ ବନ୍ଦ ହେଲେ ସାରା ବିଶ୍ୱରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବ । ବଡ଼ ଆର୍ଥିକ ସଙ୍କଟ ଦେଖାଦେବ । ବର୍ତ୍ତମାନଠାରୁ ହିଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବଢ଼ିବା ଆରମ୍ଭ ହୋଇଗଲାଣି । କଥାବାର୍ତ୍ତା ବିଫଳ ହେବା ପରେ ପରିସ୍ଥିତି ପୁଣି ଅତ୍ୟନ୍ତ ଗମ୍ଭୀର ରହିଛି । ଯେକୌଣସି ସମୟରେ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ରହିଛି ।