
ଭୁବନେଶ୍ୱର : ଓଡ଼ିଶାରେ OAS ଓ ORS ଅଧିକାରୀଙ୍କ ପାଇଁ ନୂଆ ବଦଳି ନିୟମ । ବଦଳି ପାଇଁ କାମ କରିବନି ପାର୍ଟି ନେତାଙ୍କ ଚିଠି । ପ୍ରଥମ ୬ ବର୍ଷ ଗାଁ ଗହଳିରେ କାମ କରିବାକୁ ପଡ଼ିବ। ରାଜ୍ୟ ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଦାୟିତ୍ୱବାନ ଏବଂ ଜନସାଧାରଣଙ୍କ ଅଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । OAS (ଗ୍ରୁପ୍-ଏ ଜୁନିଅର ଗ୍ରେଡ୍) ଏବଂ ORS ଅଧିକାରୀଙ୍କ ପାଇଁ ଏକ ନୂଆ ବଦଳି ନୀତି ଘୋଷଣା କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀଙ୍କ ଦ୍ୱାରା ନିୟମରେ ସ୍ପଷ୍ଟ ହୋଇଛି ଯେ, ଅଧିକାରୀମାନେ ଜଣେ ଜଣେ ଜନସେବକ । ଏଣିକି ବ୍ୟକ୍ତିଗତ ଅନୁରୋଧ କିମ୍ବା ପତିଆରା ବଦଳି କ୍ଷେତ୍ରରେ କାମ କରିବ ନାହିଁ । ପ୍ରତ୍ୟେକ ଅଧିକାରୀଙ୍କୁ ସେମାନଙ୍କ ଚାକିରିର ପ୍ରଥମ ୬ ବର୍ଷ ଫିଲ୍ଡରେ କାମ କରିବାକୁ ପଡ଼ିବ ।
ଯାହାଫଳରେ ସେମାନେ ତୃଣମୂଳ ସ୍ତରର ସମସ୍ୟା ବୁଝିପାରିବେ । ପ୍ରଥମ ପୋଷ୍ଟିଂ ସମୟରେ KBK ଜିଲ୍ଲା, ଗଜପତି, କନ୍ଧମାଳ ଏବଂ ଅନ୍ୟାନ୍ୟ ଅନୁସୂଚିତ ଅଞ୍ଚଳକୁ ଗୁରୁତ୍ୱ ଦିଆଯିବ । ବଦଳି ପାଇଁ କୌଣସି ପ୍ରକାରର ସୁପାରିଶ କରାଯାଇପାରିବ ନାହିଁ । ଏମିତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାଧାରଣ ବଦଳି ପ୍ରତିବର୍ଷ କେବଳ ଏପ୍ରିଲ ୧୫ ରୁ ଜୁନ୍ ୧୫ ମଧ୍ୟରେ କରାଯିବ। ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ସାଧାରଣତଃ ଅତିକମରେ ୨ ବର୍ଷ ଏବଂ ସର୍ବାଧିକ ୩ ବର୍ଷ ରହିବେ । ଜଣେ ଅଧିକାରୀ ଗୋଟିଏ ଜିଲ୍ଲାରେ ଲଗାତାର ୬ ବର୍ଷରୁ ଅଧିକ କିମ୍ବା ସମଗ୍ର ଚାକିରି କାଳ ମଧ୍ୟରେ ୧୦ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । କୌଣସି ଅଧିକାରୀଙ୍କୁ ସେମାନଙ୍କ ନିଜ ଜିଲ୍ଲାରେ ପୋଷ୍ଟିଂ ମିଳିବ ନାହିଁ ।
ବଦଳି ନିର୍ଦ୍ଦେଶ ମିଳିବାର ୭ ଦିନ ମଧ୍ୟରେ ଅଧିକାରୀଙ୍କୁ ପୁରୁଣା ଦାୟିତ୍ୱ ଛାଡ଼ିବାକୁ ହେବ । ପରବର୍ତ୍ତୀ ୭ ଦିନ ମଧ୍ୟରେ ନୂଆ ସ୍ଥାନରେ ଯୋଗ ଦେବାକୁ ହେବ । ୪୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଥିବା ଅଧିକାରୀଙ୍କ ଅନୁରୋଧକୁ ସହାନୁଭୂତିର ସହ ବିଚାର କରାଯିବ । ସ୍ୱାମୀ-ସ୍ତ୍ରୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ, ସେମାନଙ୍କୁ ପାଖାପାଖି ସ୍ଥାନରେ ରଖିବାକୁ ଚେଷ୍ଟା କରାଯିବ । ଯେଉଁମାନେ KBK ଭଳି ଦୁର୍ଗମ ଅଞ୍ଚଳରେ ୩ ବର୍ଷ କାମ କରିବେ ସେମାନଙ୍କୁ ବଦଳି ସମୟରେ ପସନ୍ଦର ଜିଲ୍ଲା ପାଇଁ ପ୍ରାଧାନ୍ୟ ମିଳିବ । ଏହି ନୂଆ ନିୟମ ପୂର୍ବର ସମସ୍ତ ନିୟମକୁ ରଦ୍ଦ କରିଛି ।