
ଉମରକୋଟ (୧୬/୦୪/୨୦୨୬) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଓ ଅଧିକାରକୁ ନେଇ ‘ବାବା ବିଶ୍ୱକର୍ମା ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଙ୍ଘ’ (ପଞ୍ଜିକରଣ ସଂଖ୍ୟା–୫୦୫/୨୦୨୬୩) ପକ୍ଷରୁ ଏକ ବ୍ୟାପକ ଦାବିପତ୍ର ପ୍ରଦାନ କରାଯାଇଛି। ସଙ୍ଘର ଶତାଧିକ ରାଜମିସ୍ତ୍ରୀ ଓ ନିର୍ମାଣ ଶ୍ରମିକ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ଆସି ଝୋରୀଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ (BDO) ଭେଟି ନିଜର ଦାବି ଜଣାଇଛନ୍ତି।
ସଙ୍ଘର ନେତୃତ୍ୱରେ ଆୟୋଜିତ ଏହି ଶାନ୍ତିପୂର୍ଣ୍ଣ ରେଲି ମାଧ୍ୟମରେ ଶ୍ରମିକମାନେ ସେମାନଙ୍କର ଦୀର୍ଘଦିନର ଅପୂର୍ଣ୍ଣ ଦାବିଗୁଡ଼ିକ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି।
ଦାବିପତ୍ରରେ ଉଲ୍ଲେଖ ଥିବା ପ୍ରମୁଖ ଦାବିଗୁଡ଼ିକ:
୧. ପ୍ରଶିକ୍ଷଣ ଓ ସ୍ୱାବଳମ୍ବନ: ଝରୀଗାଁ ବ୍ଲକର ରାଜମିସ୍ତ୍ରୀମାନଙ୍କୁ ସରକାରୀ ‘ବିଶ୍ୱକର୍ମା ଯୋଜନା’ ଅଧୀନରେ ସଙ୍ଘ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଉ, ଯାହାଦ୍ୱାରା ସ୍ଥାନୀୟ ଶ୍ରମିକମାନେ ନିଜର କୌଶଳ ବିକାଶ କରି ସ୍ୱାବଳମ୍ବୀ ହୋଇପାରିବେ।
୨. ସ୍ଥାନୀୟ ନିଯୁକ୍ତିକୁ ପ୍ରାଥମିକତା: ସରକାରୀ ନିର୍ମାଣ କାର୍ଯ୍ୟରେ ବାହାର ରାଜ୍ୟ କିମ୍ବା ବେଆଇନ ଭାବେ ଅନୁପ୍ରବେଶ କରିଥିବା ବିଦେଶୀ (ବାଂଲାଦେଶୀ) ମିସ୍ତ୍ରୀମାନଙ୍କୁ ନିଯୁକ୍ତି ନଦେଇ, ସ୍ଥାନୀୟ ଝୋରୀଗାଁ ବ୍ଲକର ମିସ୍ତ୍ରୀମାନଙ୍କୁ ନିଯୁକ୍ତି ଦେବାକୁ ସଙ୍ଘ ଜୋରଦାର ଦାବି କରିଛି।
୩. ବକେୟା କୋଭିଡ ସହାୟତା: କୋଭିଡ ସମୟରେ ସରକାରଙ୍କ ଦ୍ୱାରା ଘୋଷିତ ୧୫୦୦ ଟଙ୍କାର ଆର୍ଥିକ ସହାୟତା ଅନେକ ଶ୍ରମିକଙ୍କୁ ମିଳିନଥିବା ଅଭିଯୋଗ ହୋଇଛି। ଏହି ବକେୟା ରାଶି ତୁରନ୍ତ ପ୍ରଦାନ କରିବାକୁ ଦାବି ହୋଇଛି।
୪. ସରକାରୀ ସହାୟତା ସାମଗ୍ରୀ: ପୂର୍ବରୁ ପ୍ରଚଳିତ ଥିବା ସାଇକେଲ, ସେଫ୍ଟି କିଟ୍ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପ୍ରଦାନ ବର୍ତ୍ତମାନ ବନ୍ଦ ଥିବାରୁ, ସେଗୁଡ଼ିକୁ ପୁନର୍ବାର ଚାଲୁ କରିବାକୁ ସଙ୍ଘ ଅନୁରୋଧ କରିଛି।
୫. ଅନ୍ୟାନ୍ୟ ସୁବିଧା: ନୂତନ ଶ୍ରମିକ କାର୍ଡ ପ୍ରଦାନ, ପୁରୁଣା କାର୍ଡର ନବୀକରଣ ସହ ଶିକ୍ଷା, ବିବାହ, ଗୃହ ନିର୍ମାଣ ସହାୟତା ଓ ପେନସନ ସୁବିଧା ସୁନିଶ୍ଚିତ କରିବାକୁ ଦାବି କରାଯାଇଛି।
ସଙ୍ଘର ପ୍ରତିନିଧିମାନେ କହିଛନ୍ତି ଯେ, ଶ୍ରମିକମାନେ ଦୀର୍ଘ ଦିନ ଧରି ଏହି ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇନାହିଁ। ସରକାର ଏହି ସମସ୍ୟାଗୁଡ଼ିକୁ ସହାନୁଭୂତିର ସହ ବିଚାର କରି ଶୀଘ୍ର ପଦକ୍ଷେପ ନେବେ ବୋଲି ସଙ୍ଘ ଆଶା ପ୍ରକାଶ କରିଛି। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସମୟରେ ଶ୍ରମିକମାନେ ଅତ୍ୟନ୍ତ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିଥିବା ଦେଖିବାକୁ ମିଳିଥିଲା।