ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ୨୯ରେ କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ, ଶିକ୍ଷକ ଓ କର୍ମଚାରୀଙ୍କୁ ଡ୍ୟୁଟିରେ ରହିବାକୁ ନିର୍ଦ୍ଦେଶ

puja26

ବାଲିଗୁଡ଼ା, ୨୮/୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଥିବା ଦୃଷ୍ଟିରୁ ଆସନ୍ତା ୨୯ ତାରିଖ ଗୁରୁବାର ଦିନ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବେଦଭୂଷଣ ଅକ୍ଟୋବର ୨୮ ତାରିଖରେ ଜାରି କରିଥିବା ଆଦେଶ ନଂ. ୧୧୮୬ ଅନୁଯାୟୀ, ସରକାରୀ ଓ ଘରୋଇ ବିଦ୍ୟାଳୟ ସମେତ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀରେ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ରହିବ। ଏଥିସହ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖାଯିବ।

ତେବେ ଜରୁରୀକାଳୀନ ପରିସ୍ଥିତିରେ ସାଧାରଣ ଲୋକଙ୍କ ଆବଶ୍ୟକତା ପୂରଣ ଓ ବିପର୍ଯ୍ୟୟ ମୁକାବିଲା ସମ୍ପର୍କିତ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଶିକ୍ଷାନୁଷ୍ଠାନର ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ନିଜ ନିଜ କାର୍ଯ୍ୟସ୍ଥଳରେ ଉପସ୍ଥିତ ରହି ପ୍ରଶାସନିକ ଦାୟିତ୍ୱ ତୁଲାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାଜନିତ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ଆଖି ଆଗରେ ରଖି କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ତଥା ଜୀବନରକ୍ଷା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି।

ad-week
Leave A Reply

Your email address will not be published.