ବାତ୍ୟା ଭୟରେ ସିଲ୍‌ ହେଲା ଗାଜଲବାଡ଼ି ଘାଟି: ଗଛ ଉପୁଡ଼ି ରାସ୍ତା ଅବରୋଧ, ଦୁଇ ଜିଲ୍ଲା ମଧ୍ୟରେ ଯାତାୟାତ ଠପ୍‌; ବିକଳ୍ପ ରାସ୍ତା ଉପରେ ନିର୍ଭର କରୁଛନ୍ତି ଯାତ୍ରୀ

puja26

ବାଲିଗୁଡ଼ା, ତା. ୨୮/୧୦: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଗଛଡାଳ ଓ ପତ୍ର ରାସ୍ତା ଉପରେ ପଡ଼ି ଯାତାୟାତରେ ବାଧା ସୃଷ୍ଟି କରିଥିବା ବେଳେ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ-ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିକୁ ଉଭୟ ପଟରୁ ବନ୍ଦ କରିଦିଆଯାଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ, ପର୍ଯ୍ୟଟକ ଓ ଗାଡ଼ିଚାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାତ୍ୟାର ସମ୍ଭାବ୍ୟ ବିପଦକୁ ଆଖିଆଗରେ ରଖି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ଓ ଥାନାଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଉପସ୍ଥିତିରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ବାଇମାଳା ଚେକ୍‌ଗେଟ୍‌ଠାରେ ରାସ୍ତାକୁ ବନ୍ଦ କରାଯାଇଛି। ସେଠାରେ ପୁଲିସ ମୁତୟନ ରହି ଯାନବାହନ ଚଳାଚଳ ଉପରେ କଡ଼ା ନଜର ରଖିଛି।

ଦାରିଙ୍ଗବାଡ଼ି ପଟରୁ ଭଞ୍ଜନଗର, ସୋରଡ଼ା ଓ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗାଡ଼ିଗୁଡ଼ିକୁ ଗଞ୍ଜାମ ଜିଲ୍ଲା ଆଡ଼କୁ ଯିବାକୁ ଅନୁମତି ଦିଆଯାଉନାହିଁ। ସେହିପରି ଗଞ୍ଜାମ ପଟରୁ କନ୍ଧମାଳ ଆସୁଥିବା ଯାନବାହନଗୁଡ଼ିକୁ ମଧ୍ୟ ଗାଜଲବାଡ଼ି ଘାଟି ଦେଇ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସୋରଡ଼ା ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଗଞ୍ଜାମ ପଟେ ମଧ୍ୟ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗାଜଲବାଡ଼ି ଘାଟି ଅତ୍ୟନ୍ତ ଅଣଓସାରିଆ ଓ ବିପଦପୂର୍ଣ୍ଣ ହୋଇଥିବାରୁ ପ୍ରବଳ ବର୍ଷା ସମୟରେ ଏଠାରେ ଭୂସ୍ଖଳନର ଘୋର ଆଶଙ୍କା ରହିଥାଏ। ପୂର୍ବରୁ ମଧ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ସମୟରେ ଏହି ଘାଟିରେ ଏକାଧିକ ଥର ଭୂସ୍ଖଳନ ଘଟିଥିବାର ନଜିର ରହିଛି। ତେଣୁ ଯାତ୍ରୀମାନଙ୍କ ନିରାପତ୍ତା ଓ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ଏହି ଘାଟି ରାସ୍ତାକୁ ବନ୍ଦ କରାଯାଇଛି।

ଅନ୍ୟପକ୍ଷରେ, ରାସ୍ତା ଉପରେ ଗଛ ଭାଙ୍ଗି ପଡ଼ିଥିବାରୁ ସ୍ଥାନୀୟ ଅଞ୍ଚଳରେ ଚଳାଚଳ କରୁଥିବା ‘ମୋ ବସ୍‌’ ସେବା ମଧ୍ୟ ବ୍ୟାହତ ହୋଇଛି। ବ୍ରାହ୍ମଣୀଗାଁ, ଗଦାପୁର, ସରାମୁଳୀ, ହାତୀମୁଣ୍ଡା, ତାମାଙ୍ଗି ଓ କାଟିଙ୍ଗିଆ ଅଞ୍ଚଳକୁ ଯାଇଥିବା ବସ୍‌ଗୁଡ଼ିକ ରାସ୍ତାରେ ଅଟକି ରହିଥିବା ସୂଚନା ମିଳିଛି। ଫଳରେ ସାଧାରଣ ଯାତ୍ରୀଙ୍କ ଯାତାୟାତ ସହ ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଜୀବନଯାପନ ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଗାଜଲବାଡ଼ି ଘାଟି ବନ୍ଦ ରହିଥିବାରୁ ଦାରିଙ୍ଗବାଡ଼ିରୁ ବ୍ରାହ୍ମଣୀଗାଁ ଦେଇ ଗଜପତି ଜିଲ୍ଲାର ଅଡ଼ବା ଓ ମୋହନା ହୋଇ ବ୍ରହ୍ମପୁର ଯିବା ରାସ୍ତା ଏବେ ଏକମାତ୍ର ମୁଖ୍ୟ ବିକଳ୍ପ ମାର୍ଗ ଭାବେ ବ୍ୟବହୃତ ହେଉଛି। ପ୍ରଶାସନ ପକ୍ଷରୁ ରାସ୍ତା ଉପରୁ ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ହଟାଇବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି। ବାତ୍ୟାଜନିତ ପ୍ରତିକୂଳ ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ଘାଟି ଅଞ୍ଚଳ ଉପରେ ଚବିଶ ଘଣ୍ଟିଆ ତୀକ୍ଷ୍ଣ ନଜର ରଖାଯାଇଥିବା ବେଳେ, ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ କୌଣସି ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ ନକରିବାକୁ ପ୍ରଶାସନ ତରଫରୁ ସତର୍କ ସୂଚନା ସହ ପରାମର୍ଶ ଦିଆଯାଇଛି।

ad-week
Leave A Reply

Your email address will not be published.