ବାଲିଗୁଡ଼ାରେ ବିଜେଡିର ରଣହୁଙ୍କାର: ବାଲି ଚୋରାଚାଲାଣ ଠାରୁ ଟେଣ୍ଡର ଅନିୟମିତତା ଯାଏଁ ସ୍ୱର ଉଠାଇବ ଦଳ, ଜନସମସ୍ୟାକୁ ନେଇ ଆନ୍ଦୋଳନର ଚେତାବନୀ

ବାଲିଗୁଡ଼ା, ତା. ୨୮/୧୦: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଜନସମସ୍ୟା, ବେଆଇନ ବାଲି କାରବାର ଓ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତାକୁ ନେଇ ରାଜନୈତିକ ତତ୍ପରତା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ାସ୍ଥିତ ପିଡବ୍ଲ୍ୟୁଡି ବଙ୍ଗଳାଠାରେ ନୂତନ ସାଙ୍ଗଠନିକ କର୍ମକର୍ତ୍ତା ଚୟନ ପରେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରାଯିବା ସହ ଆଗାମୀ ଦିନରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସର୍ବପ୍ରଥମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ କନ୍ଧମାଳ ଜିଲ୍ଲା ସଭାପତି ପଦ୍ମନାଭ ବେହେରା ବାଲିଗୁଡ଼ା ଅଞ୍ଚଳରେ ନୂତନ ଭାବେ ସାଙ୍ଗଠନିକ ଦାୟିତ୍ୱ ନ୍ୟସ୍ତ କରିଥିବାରୁ ଦଳୀୟ ନେତୃତ୍ୱଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଜନସାଧାରଣଙ୍କ ସମସ୍ୟାକୁ ନେଇ ବିଜେଡି ସବୁବେଳେ ସ୍ୱର ଉତ୍ତୋଳନ କରି ଆସିଛି ଏବଂ ଆଗକୁ ମଧ୍ୟ ଏହି ଧାରା ଅବ୍ୟାହତ ରହିବ ବୋଲି ଦଳୀୟ ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ବାଲିଗୁଡ଼ା ଅଞ୍ଚଳରେ ସରକାରୀ ଭାବେ ବାଲିଘାଟ ବନ୍ଦ ରହିଥିବା ସତ୍ତ୍ୱେ ବେଧଡ଼କ ବାଲି ଚୋରାଚାଲାଣ ଚାଲିଥିବା ନେଇ ଅଭିଯୋଗ ଉଠିଛି। ଏହାକୁ ବିରୋଧ କରି ଟ୍ରାକ୍ଟର ସଂଘ ପକ୍ଷରୁ ଦୁଇ ଦିନ ଧରି ବନ୍ଦ ଡାକରା ଦିଆଯାଇଥିବା ଘଟଣା ଉଲ୍ଲେଖ କରି ବାଲି କାରବାରରେ ଚାଲିଥିବା ଏହି ଅନିୟମିତତାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରାଯାଇଥିଲା। ଏହି ବେଆଇନ କାରବାରରେ କାହାରି ସମ୍ପୃକ୍ତି ଥିଲେ ତାଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦଳ ପ୍ରଶାସନ ନିକଟରେ ଦାବି ଉପସ୍ଥାପନ କରିବ ବୋଲି ସ୍ପଷ୍ଟ କରିଥିଲା।
ସେହିପରି ବାଲିଗୁଡ଼ାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବିନା ଟେଣ୍ଡରରେ କାର୍ଯ୍ୟ ବଣ୍ଟନ ଓ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଉଠାଇ ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଥିଲା। ସରକାରୀ ଅର୍ଥର ସଠିକ୍ ବିନିଯୋଗ, ବିକାଶମୂଳକ କାର୍ଯ୍ୟର ଗୁଣବତ୍ତା ଏବଂ ନିୟମ ଅନୁଯାୟୀ ସ୍ୱଚ୍ଛ ଟେଣ୍ଡର ପ୍ରକ୍ରିୟା ପାଳନ ଉପରେ ଦଳ ବିଶେଷ ଭାବେ ଗୁରୁତ୍ୱାରୋପ କରିଥିଲା।
ଏହା ସହିତ ବାଲିଗୁଡ଼ା ସହର ତଥା ସମଗ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାସ୍ତାଘାଟ, ପାନୀୟ ଜଳ, ନିଷ୍କାସନ (ଡ୍ରେନେଜ୍), ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟର ମନ୍ଥର ଅଗ୍ରଗତିକୁ ନେଇ ପ୍ରଶ୍ନ ଉଠାଯାଇଥିଲା। ଦୀର୍ଘ ଦିନ ଧରି ଅଧାପନ୍ତରିଆ ଭାବେ ପଡ଼ିରହିଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ନୂତନ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା।
ଆଗାମୀ ଦିନରେ ବାଲିଗୁଡ଼ା ବ୍ଲକ, ଏନ୍ଏସି ଏବଂ ସମଗ୍ର ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜେଡି ସଂଗଠନକୁ ଅଧିକ ସକ୍ରିୟ, ଶୃଙ୍ଖଳିତ ଓ ସୁଦୃଢ଼ କରିବା ଉପରେ ଦଳ ପ୍ରାଥମିକତା ଦେବ। ବିଶେଷ କରି ଯୁବକ ଓ ମହିଳାମାନଙ୍କୁ ସଂଗଠନ ସହ ବ୍ୟାପକ ଭାବେ ଯୋଡ଼ିବା, ତୃଣମୂଳ ସ୍ତରରେ ଦଳୀୟ କର୍ମୀଙ୍କୁ ଏକଜୁଟ କରିବା ଏବଂ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ତଥା ମୌଳିକ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା ଏବଂ ପ୍ରଶାସନର ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଲାଗି ଦଳ ଆଗାମୀ ଦିନରେ ନିଜର ଦାବି ଜୋରଦାର କରିବ ବୋଲି କୁହାଯାଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ କୋଟଗଡ଼ ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନ ଓ କାର୍ଯ୍ୟକାରୀ ସଭାପତି ସରୋଜ ବଳିଆରସିଂହ, ତୁମୁଡ଼ିବନ୍ଧ ବ୍ଲକ ସଭାପତି କୁନା ଦଣ୍ଡସେନା ଓ କାର୍ଯ୍ୟକାରୀ ସଭାପତି ଜହନ ବାରିକ, ବାଲିଗୁଡ଼ା ବ୍ଲକ ସଭାପତି କ୍ଲେଶ ପ୍ରଧାନ ଓ କାର୍ଯ୍ୟକାରୀ ସଭାପତି କବିରାଜ ରଣା, କେ. ନୂଆଗାଁ ବ୍ଲକ ସଭାପତି ମଦନ ମୋହନ ପ୍ରଧାନ ଓ କାର୍ଯ୍ୟକାରୀ ସଭାପତି ମହାଦେବ ପ୍ରଧାନ ଏବଂ ବାଲିଗୁଡ଼ା ଏନ୍ଏସି ସଭାପତି ଅମିତ କୁମାର ନାୟକ ଓ କାର୍ଯ୍ୟକାରୀ ସଭାପତି ମାନସ କୁମାର ଅମାତଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।
