ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ : ବାଲିଗୁଡା ରୁ ବ୍ରହ୍ମପୁର ସହ ଯୋଗାଯୋଗ ବିଚ୍ଛିନ୍ନ, ଅତ୍ୟାବଶ୍ୟକ ସାମଗ୍ରୀ ସଙ୍କଟ ଆଶଙ୍କା

puja26

ବାଲିଗୁଡ଼ା, ୨୯/୧୦: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବାଲିଗୁଡ଼ା ଉପଖଣ୍ଡର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିକୁ ଉଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଅପରାହ୍ନରୁ ବନ୍ଦ କରାଯାଇ ଥିବାରୁ ବାଲିଗୁଡ଼ାରୁ ବ୍ରହ୍ମପୁରକୁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏହାର ସିଧାସଳଖ ପ୍ରଭାବ ଏବେ ଅଞ୍ଚଳର ବଜାର ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ପଡ଼ିବା ଆଶଙ୍କା ଦେଖାଦେଇଛି। ବାଲିଗୁଡ଼ା ଅଞ୍ଚଳର ପନିପରିବା ଚାହିଦାର ଏକ ବଡ଼ ଅଂଶ ଗଞ୍ଜାମ ଜିଲ୍ଲାର ସୋରଡ଼ା, କାଟୁ ଓ ସାଉଁଳେଇ ଅଞ୍ଚଳରୁ ପୂରଣ ହୋଇଥାଏ। ପ୍ରତିଦିନ ଏହି ଅଞ୍ଚଳରୁ ଟନ୍‌ ଟନ୍‌ ପନିପରିବା ବାଲିଗୁଡ଼ା ବଜାରକୁ ଆସୁଥିବା ବେଳେ ଘାଟି ବନ୍ଦ ହେବା ପରେ ଏହି ଯୋଗାଣ ବ୍ୟବସ୍ଥା ଠପ୍‌ ହୋଇପଡ଼ିଛି। ଅନ୍ୟ ପକ୍ଷରେ, ରାସନ ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ମଧ୍ୟ ବାଲିଗୁଡ଼ାବାସୀ ବ୍ରହ୍ମପୁର ଉପରେ ନିର୍ଭର କରୁଥିବାରୁ ପରିବହନ ବାଧା ଚିନ୍ତା ବଢ଼ାଇଛି। ଘାଟି ବନ୍ଦ ଯୋଗୁ କେବଳ ବ୍ୟବସାୟୀ ନୁହନ୍ତି, ସାଧାରଣ ଲୋକ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାତାୟାତ ସହ ଜୀବିକା, ସ୍ୱାସ୍ଥ୍ୟସେବା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହାର ପ୍ରଭାବ ଅନୁଭୂତ ହେଉଛି। ପୂଜା ଛୁଟିରେ ଘରକୁ ଆସିଥିବା ଶହ ଶହ ଛାତ୍ରଛାତ୍ରୀ ନିଜ ଶିକ୍ଷାନୁଷ୍ଠାନକୁ ଫେରିବା ନେଇ ଅସୁବିଧାରେ ପଡ଼ିଛନ୍ତି l ଏଭଳି ସ୍ଥିତି ଆଉ ଦିନେ ଦୁଇ ଦିନ ଲାଗି ରହିଲେ ପନିପରିବା ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଦେବା ସହ ଦରଦାମ୍‌ ବୃଦ୍ଧିର ଆଶଙ୍କା ରହିଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ବାତ୍ୟାଜନିତ ବିପଦକୁ ଦୃଷ୍ଟିରେ ରଖି ଘାଟି ବନ୍ଦ କରାଯାଇଥିବାବେଳେ, ସ୍ଥିତି ସୁଧୁରିବା ପରେ ଯାତାୟାତ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କେବେ ସ୍ୱାଭାବିକ ହେବ, ତାହାକୁ ନେଇ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

ad-week
Leave A Reply

Your email address will not be published.