
ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଶନିବାର ହୋଇଛି। ସମ୍ବଲପୁର ଜିଲା ଝାଙ୍କରପାଲି ଗ୍ରାମ ପଞ୍ଚାୟତର ରସିଆପାଲି ଗ୍ରାମର ୪୪ ବର୍ଷୀୟ ଯୁବକ ବିଶ୍ୱଜିତ ସାହୁ ଆଜି ସକାଳ ପ୍ରାୟ ୯ ଟା ସମୟରେ କାମକୁ ଯାଇଥିଲେ। ତେବେ ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏଣୁ ଖବର ପାଇ ପରିବାର ଲୋକେ ତାଙ୍କୁ ତୁରନ୍ତ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ଆଣିଥିଲେ। ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ପରିବାର ଲୋକେ ଏହା ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ କରିଛନ୍ତି। ସେହିପରି ଗ୍ରାମବାସୀମାନେ ମଧ୍ୟ ଏହା ନିଶ୍ଚିତ ଭାବେ ଅଂଶୁଘାତ ଯୋଗୁଁଁ ମୃତ୍ୟୁ ହୋଇଛି ବୋଲି କହିଛନ୍ତି। ଏଣୁ ସରକାର ତାଙ୍କୁ ଉଚିତ କ୍ଷତି ପୂରଣ ଦିଅନ୍ତୁ ବୋଲି ଗ୍ରାମବାସୀ କହିଛନ୍ତି। ଅନ୍ୟ ପଟେ ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର୍ କହିଛନ୍ତି ଯେ, ଏ ସମ୍ପର୍କରେ ଆମେ ଖବର ପାଇଛୁ। ବ୍ୟବଛେଦ ହେଲା ପରେ ମୃତ୍ୟୁର ପ୍ରକୁତ କାରଣ ଜଣାପଡ଼ିବ। ସେହିପରି ଜନତାଙ୍କୁ ଅତି ଆବଶ୍ୟକ ନ ହେଲେ ଖରାରେ ନ ବାହାରିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି। ସୂଚନା ଯୋଗ୍ୟ ଯେ, ବିଗତ କିଛି ଦିନ ହେବ ସମ୍ବଲପୁର ଜିଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି।
