
କୋଲକାତା : ନିର୍ବାଚନ ଆୟୋଗ ଶୁକ୍ରବାର ଅର୍ଥାତ୍ ଗତକାଲି ଡାଇମଣ୍ଡ ହାର୍ବର ପୋଲିସ ଜିଲ୍ଲାର ୫ ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଏଏସପି ଏବଂ ଏସଡିପିଓ ସାମିଲ ରହିଛନ୍ତି । ଏହି ଅଧିକାରୀମାନଙ୍କ ବିରୋଧରେ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପକ୍ଷପାତିତା ଏବଂ ନିରପେକ୍ଷତା ବଜାୟ ନରଖିବା ଅଭିଯୋଗ ରହିଛି । ସମସ୍ତ ୫ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁଯାୟୀ, ନିର୍ବାଚନ ଆୟୋଗ ଡାଇମଣ୍ଡ ହାର୍ବରର ଏସପି ଈଶାନୀ ପାଲଙ୍କୁ ସମ୍ବେଦନଶୀଳ ନିର୍ବାଚନ ସମ୍ବନ୍ଧିତ ମାମଲାରେ ଅଧୀନସ୍ଥ ଅଧିକାରୀଙ୍କ ମଧ୍ୟରେ ଅନୁଶାସନ ଏବଂ ନିରପେକ୍ଷତା ସୁନିଶ୍ଚିତ କରିବାରେ ବିଫଳ ହେବା ଯୋଗୁଁ ଚେତାବନୀ ଜାରି କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ଲାଗୁ କରିବା ସହିତ ଆଜି ସକାଳ ୧୧ ସୁଦ୍ଧା ସମସ୍ତ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିଲମ୍ବିତ ହୋଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ସନ୍ଦୀପ ଗରାଈ, ଡାଇମଣ୍ଡ ହାର୍ବର, ସଜଲ ମଣ୍ଡଳ, ଏସଡିପିଓ, ଡାଇମଣ୍ଡ ହାର୍ବର, ମୌସମ ଚକ୍ରବର୍ତ୍ତୀ, ଇନସ୍ପେକ୍ଟର ଇନଚାର୍ଜ, ଡାଇମଣ୍ଡ ହାର୍ବର ପୋଲିସ ଷ୍ଟେସନ୍, ଅଜୟ ବାଗ, ଇନସ୍ପେକ୍ଟର ଇନଚାର୍ଜ, ଉସ୍ଥି ପୋଲିସ ଷ୍ଟେସନ ସାମିଲ ରହିଛନ୍ତି । ଏହି ସମସ୍ତଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ କରାଯିବ ।
ଏହା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର, ଜ୍ଞାନେଶ କୁମାର ଗୁରୁବାର ଦିନ କହିଥିଲେ ଯେ, ସନ୍ଧ୍ୟା ୬ଟାରେ ମତଦାନ ଶେଷ ହେବା ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ବର୍ତ୍ତମାନ ସୁଦ୍ଧା ଅଧିକ ମତଦାନ ହାସଲ କରି ରେକର୍ଡ କରିଛି । ନିର୍ବାଚନ ଆୟୋଗ ଅନୁସାରେ ଗୁରୁବାର ସନ୍ଧ୍ୟା ୬ ଟା ସୁଦ୍ଧା ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟରେ ୯୧.୯୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ପଶ୍ଚିମବଙ୍ଗର କେତକ ଜିଲ୍ଲାରେ ୯୦ ପ୍ରତିଶତରୁ ଅଧିକ ମତଦାନ ରେକର୍ଡ କରାଯାଇଛି । ଦକ୍ଷିଣ ଦିନାଜପୁରରେ ୯୪.୮୫% ସହିତ ସବୁଠାରୁ ଆଗରେ ରହିଛି । ଏହା ପରେ କୁଚ ବିହାର ୯୪.୫୪%,ବୀରଭୁମରେ ୯୩.୭୦%,ଜଲପାଈଗୁଡିରେ ୯୩.୨୩% ଏବଂ ମୁର୍ଶିଦାବାଦରେ ୯୨.୯୩%ମତଦାନ ରେକର୍ଡ କରାଯାଇଛି । ପଶ୍ଚିମବଙ୍ଗର ଶେଷ ୧୪୨ ସିଟରେ ମତଦାନ ମେ ୨୯ ତାରିଖକୁ ହେବ ଏବଂ ଭୋଟ୍ ଗଣତି ମେ ୪ ତାରିଖରେ କରାଯିବ ।
