
ମାଲକାନଗିରି: ସମର କୋର୍ସ ଓ ସୁଟିଂ ନାଁରେ ହେଇଥାନ୍ତା କି ଧର୍ମାନ୍ତରୀକରଣ? ମାଲକାନଗିରି ଜିଲ୍ଲାରେ ଏକ ବସ୍ ରୁ ଚାଇଲ୍ଡଲାଇନ୍ ଅଧିକାରୀଙ୍କ ସହ ପୋଲିସ ୧୪ ଜଣ ଶିଶୁଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରିଛି। ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଏବଂ ଚାଇଲ୍ଡ ହେଲ୍ପଲାଇନ୍ର ସୂଚନାକୁ ଆଧାର କରି ଶିଶୁ ସୁରକ୍ଷା ୟୁନିଟ୍ ପୋଲିସ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି। ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏହି ସୂଚନା ଦେଇଛନ୍ତି।
ମାଲକାନଗିରି ଜିଲ୍ଲାରୁ ୧୪ ଶିଶୁଙ୍କୁ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶ ନିଆ ଯାଉଥିବା ବେଳେ ଚାଇଲ୍ଡ ଲାଇନ୍ ହାତରେ ଧରାପଡ଼ିଛନ୍ତି। ଛୋଟ ପିଲାମାନଙ୍କୁ ବିଜୟୱାଡ଼ାକୁ ଚାଲାଣ କରାଯାଉଥିଲା। ମାଲକାନଗିରି ସିନ୍ଧ୍ରିମାଳ ପଞ୍ଚାୟତର ୧୪ ଜଣ ଶିଶୁଙ୍କୁ ଆନ୍ଧ୍ରପ୍ରଦେଶ ନିଆଯାଉଥିବା ଏକ ବସ୍କୁ ଶିଶୁ ସୁରକ୍ଷା ୟୁନିଟ୍ ଅଟକାଇ ଥିଲା। ଏଥିରେ ୬ ନାବାଳିକା ଏବଂ ୪ ନାବାଳକ ଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ସିଡବ୍ଲୁସି ନିକଟରେ ହାଜର କରାଯାଇଥିଲା। ଶିଶୁମାନଙ୍କ ସହିତ କୌଣସି ଅଭିଭାବକ ନଥିବା ବେଳେ, ଜଣେ ୨୨ ବର୍ଷୀୟା ଯୁବତୀ ବବିତା ଆବାସିକା ସେମାନଙ୍କୁ ନେଇ ଯାଉଥିଲେ।
ସୂତ୍ର ଅନୁଯାୟୀ, ଛୋଟ ପିଲାମାନଙ୍କୁ କାହିଁକି ବାହାର ରାଜ୍ୟକୁ ନେଇ ଯାଉଥିଲେ ବୋଲି ପ୍ରଶ୍ନର ଉତ୍ତରରେ ବବିତା ଆବାସିକ କହିଛନ୍ତି, “ପିଲାମାନଙ୍କୁ ସମର କୋର୍ସ ଏବଂ ସୁଟିଂ କରିବା ଉଦ୍ଦେଶ୍ୟରେ ନେଇ ଯାଉଥିଲୁ। ପ୍ରତିବର୍ଷ ଖରାଛୁଟିରେ ଏଭଳି କ୍ୟାମ୍ପ କରାଯାଏ।” ଏହା ବ୍ୟତୀତ ଆଉ କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସେ କହିଛନ୍ତି। ଜଣେ ଅଭିଭାବକଙ୍କ କହିବା କଥା, ବବିତା ଆବାସିକ ଗତ ୩ ବର୍ଷ ଧରି ପିଲାମାନଙ୍କୁ କୋଚିଂ ଦେଉଥିଲେ। ତାଙ୍କ କଥାରେ ବିଶ୍ବାସ କରି ସେ ପିଲାମାନଙ୍କୁ ତାଙ୍କ ସହିତ ପଠାଇଥିଲେ।
ମାଲକାନଗିରି ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସମ୍ପାଦକ ଦିବାକର ପାଳନ ଏହି ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ କହିଛନ୍ତି ଯେ, “ମହିଳା ଜଣକ ଏହି ପିଲାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଧର୍ମଗ୍ରନ୍ଥ ଶିକ୍ଷା ଦେବାକୁ ନେଇ ଯାଉଥିବା କହୁଥିବାରୁ, ଧର୍ମାନ୍ତରୀକରଣ ନେଇ ସନ୍ଦେହ ଉପୁଜିଛି। ତେଣୁ ଏହାର ଅଧିକ ତଦନ୍ତ ହେବା ଆବଶ୍ୟକ।” ମାଲକାନଗିରିରୁ ବିଜୟୱାଡ଼ା ଯାଉଥିବା ବସ୍କୁ ମାଲକାନଗିରି ପୋଲିସ ଅଟକ ରଖିଥିଲା । ପରେ ଶିଶୁ ସୁରକ୍ଷା ଅଧିକାରୀଙ୍କ ସହାୟତାରେ ଶିଶୁମାନଙ୍କୁ ନିଜ ନିଜ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।
