
ପୁରୀ: ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ ହୋଇଛନ୍ତି । ୨୫ଲକ୍ଷ ୩୫ ହଜାର ଟଙ୍କା ସହ ୬ ଟି ମୋବାଇଲ ଜବତ ହୋଇଛି । ‘ସ୍କାଏ ଏକ୍ସଚେଞ୍ଜ’ ନାମକ ଏକ ଆପ୍ଲିକେସନ ବ୍ୟବହାର କରି ବେଟିଂ ରାକେଟ ଚାଲିଥିଲା । ଏହି ଆପ୍ ମାଧ୍ୟମରେ ଲୋକମାନେ ଟଙ୍କା ଜମା କରୁଥିଲେ ଏବଂ ପଏଣ୍ଟ ପାଉଥିଲେ । ପଏଣ୍ଟଗୁଡ଼ିକୁ ବ୍ୟବହାର କରି ଆଇପିଏଲ ମ୍ୟାଚରେ ବେଟିଂ କରାଯାଉଥିଲା । ଏହି ନେଟୱାର୍କରେ ସ୍ଥାନୀୟ ଅର୍ଗାନାଇଜରମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ବେଟିଂ ନେଟୱାର୍କରେ ଲୋକଙ୍କୁ ସାମିଲ କରିବା ପାଇଁ ଅର୍ଗାନାଇଜରମାନଙ୍କୁ ମାସିକ ୨୨ ହଜାର ଟଙ୍କା ଦିଆଯାଉଥିଲା। ଯାହା ବଦଳରେ ସେମାନେ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପଏଣ୍ଟ ପ୍ରଦାନ କରୁଥିଲେ ।
ପୋଲିସ ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟି ସହ ବି ନାଗେଶ୍ୱର ରାଓ, ବିଶ୍ଵନାଥ ଲେଙ୍କା ଏବଂ ରାମାକାନ୍ତ ସାହୁଙ୍କୁ ଗିରଫ କରିଛି । ଅଭିଯକ୍ତଙ୍କ ୧୦ ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୩୧ ଲକ୍ଷ ୮୧ ହଜାର ଟଙ୍କାକୁ ଫ୍ରିଜ କରାଯାଇଛି। ଅନ୍ୟପଟେ ରାକେଟର ସଦସ୍ୟମାନେ ହ୍ବାଟସଆପ୍ ମାଧ୍ୟମରେ ଜଣଙ୍କୁ ବସ ବୋଲି ସମ୍ବୋଧନ କରି ଏହି କାରବାର କରୁଥିଲେ । ତେବେ କିଏ ଏହି ବସ, ଏହି ବସକୁ ଧରିବାକୁ ଉଦ୍ୟମ ଚଳାଇଛି ପୁରୀ ପୋଲିସ ।
