ମେ’ ୧୩ରୁ ୨୩ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ: ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା

add-all

ଭୁବନେଶ୍ୱର:  ଇତିହାସର ପୁନରାବୃତ୍ତି ହେବ କି? ମେ’ ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଭୟ ସତେଜ ହୋଇଉଠେ। ୩ ବର୍ଷର ବିରତି ପରେ ପୁଣି ଥରେ ବଙ୍ଗୋପସାଗରରେ ଏକ ବଡ଼ ଧରଣର ସାମୁଦ୍ରିକ ହଲଚଲ ହେବାର ସଙ୍କେତ ମିଳିଛି। ଆନ୍ତର୍ଜାତୀୟ ପାଣିପାଗ ମଡେଲ୍ ‘ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ’ (GFS)ର ଆକଳନ ଅନୁଯାୟୀ, ଚଳିତ ମାସ ମଧ୍ୟଭାଗରେ ସମୁଦ୍ରରେ ଏକ ସିଷ୍ଟମ ସକ୍ରିୟ ହୋଇପାରେ।

GFS ମଡେଲର ସୂଚନା ଅନୁଯାୟୀ, ମେ’ ୧୩ରୁ ୨୩ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା କ୍ରମଶଃ ଘନୀଭୂତ ହୋଇ ପ୍ରଥମେ ଲଘୁଚାପ ଏବଂ ପରେ ଅବପାତ ବା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି। ଯଦି ପରିସ୍ଥିତି ଅନୁକୂଳ ରହେ, ତେବେ ଏହା ବାତ୍ୟାରେ ମଧ୍ୟ ପରିଣତ ହୋଇପାରେ। ତେବେ ଏହାର ଗତିପଥ ବା ତୀବ୍ରତା କିଭଳି ରହିବ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ।

ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ୍ ସାହୁଙ୍କ କହିବା ଅନୁଯାୟୀ, ମୌସୁମୀ ବାୟୁ ଆଗମନ ପୂର୍ବରୁ ସମୁଦ୍ରର ତାପମାତ୍ରା ଓ ଅନ୍ୟାନ୍ୟ କାରକଗୁଡ଼ିକ ବାତ୍ୟା ସୃଷ୍ଟି ପାଇଁ ବେଶ୍ ସହାୟକ ହୋଇଥାଏ। ଅତୀତରେ ମଧ୍ୟ ମେ’ ମାସରେ ଅନେକ ପ୍ରଳୟଙ୍କରୀ ବାତ୍ୟା ଆସିବାର ନଜିର ରହିଛି। ୨୦୧୯: ବାତ୍ୟା ଫୋନି, ୨୦୨୦: ବାତ୍ୟା ଅମ୍ଫାନ, ୨୦୨୧: ବାତ୍ୟା ୟସ୍, ୨୦୨୩: ବାତ୍ୟା ମୋକା ।

ସାଧାରଣତଃ ଏହି ସମୟରେ ସୃଷ୍ଟି ହେଉଥିବା ବାତ୍ୟାଗୁଡ଼ିକ ପୂର୍ବ ଉପକୂଳ ଅର୍ଥାତ୍ ଆନ୍ଧ୍ରପ୍ରଦେଶରୁ ବାଙ୍ଗଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁଥାନ୍ତି।

GFS ମଡେଲ୍ ବାତ୍ୟା ସମ୍ଭାବନା ନେଇ ଆକଳନ କରୁଥିଲେ ସୁଦ୍ଧା, ଭାରତୀୟ ପାଣିପାଗ ବିଭାଗ (IMD) ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ଦେଇନାହିଁ। ସାଧାରଣତଃ IMD କୌଣସି ସିଷ୍ଟମ ସୃଷ୍ଟି ହେବାର କିଛି ଦିନ ପୂର୍ବରୁ ହିଁ ସଠିକ୍ ପୂର୍ବାନୁମାନ ଜାରି କରିଥାଏ।

nis-ad
Leave A Reply

Your email address will not be published.