ହଣ୍ଟାଭାଇରସ୍‌ ବ୍ୟାପିଥିବା ଜାହାଜରେ ଅଛନ୍ତି ଦୁଇ ଭାରତୀୟ

add-all

ନୂଆଦିଲ୍ଲୀ,: ଆଟଲାଣ୍ଟିକ ମହାସାଗରରେ କେପ୍‌ ଭର୍ଡେ ନିକଟରେ ଅଟକି ରହିଥିବା କ୍ରୁଜ ଜାହାଜ ‘ଏମ୍‌ଭି ହଣ୍ଡିୟସ୍’ରେ ହଣ୍ଟାଭାଇରସ୍‌ ବ୍ୟାପିବା ଘଟଣା ଏବେ ସମସ୍ତଙ୍କୁ ଭୟଭୀତ କରିଛି। ଜାହାଜରେ ଥିବା କ୍ରୁ ସଦସ୍ୟଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ଅଛନ୍ତି। ଜାହାଜରେ ହଣ୍ଟାଭାଇରସ୍‌ ବ୍ୟାପିଥିବାବେଳେ ଏଥିରେ ୧୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ‘ଓସିଏନ୍‌ୱାଇଡ’ ଏକ୍ସପେଡିସନ୍ସ’ କମ୍ପାନିର ଏହି ବିଳାସପୂର୍ଣ୍ଣ ଜାହାଜ ଏପ୍ରିଲ ପହିଲାରେ ଆର୍ଜେଣ୍ଟିନାର ଉସୁଆଇଆଠାରୁ ଯାତ୍ରା ଆରମ୍ଭ କରିଥିଲା। ମେ ୧୦ ତାରିଖ ସୁଦ୍ଧା ଏହା ସ୍ପେନର କେନରି ଦ୍ବୀପ ପହଞ୍ଚିବାର ସମ୍ଭାବନା ରହିଛି।

ଯାତ୍ରା ଆରମ୍ଭ ବେଳେ ଜାହାଜରେ ୨୮ ଦେଶର ୧୫୦ ଯାତ୍ରୀ ଓ କ୍ରୁ ସଦସ୍ୟ ସାମିଲ ଥିଲେ। ଏପ୍ରିଲ ୧୧ ତାରିଖରେ ଜାହାଜରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ୨୪ ଏପ୍ରିଲରେ ମୃତଦେହ ସେଣ୍ଟ ହେଲେନା ଦ୍ବୀପରେ ଛାଡ଼ି ଦିଆଯାଇଥିଲା। ପରେ ଉକ୍ତ ଯାତ୍ରୀଙ୍କ ପତ୍ନୀ ଅସୁସ୍ଥ ହୋଇଥିଲେ ଓ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଉଭୟ ଡଚ୍‌ ନାଗରିକ ଥିଲେ। ଏପ୍ରିଲ ୨୭ରେ ଆଉ ଜଣେ ଯାତ୍ରୀ ଅସୁସ୍ଥ ହୋଇଥିଲେ। ମେ ୨ରେ ଜଣେ ଜର୍ମାନ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଚେତାବନୀ ଦେଇଥିଲା ଓ ଜାହାଜଟିକୁ କେପ୍‌ ଭର୍ଡ଼େଠାରେ ଅଟକିବାକୁ କହିଥିଲା। ବିବିସି ରିପୋର୍ଟ ଅନୁଯାୟୀ, ଜାହାଜରେ ଫିଲିପାଇନ୍ସର ୩୮, ବ୍ରିଟେନର ୩୧, ଆମେରିକାର ୨୩, ନେଦରଲାଣ୍ଡର ୧୬, ସ୍ପେନର ୧୪, ଜର୍ମାନୀର ୯, କାନାଡାର ୬ ଓ ଭାରତର ଦୁଇ କ୍ରୁ ସଦସ୍ୟ ଥିଲେ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ହଣ୍ଟାଭାଇରସ୍‌ ନେଇ ଚେତାବନୀ ଜାରି କରିଛି। ଏହା କୋଭିଡ-୧୯ ଭାଇରସ ପରି ନୁହେଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି। ହଣ୍ଟା ଭାଇରସ ସାଧାରଣତଃ ମୂଷାଠାରୁ ବ୍ୟାପିଥାଏ, ଏହା ମନୁଷ୍ୟଠାରୁ ମନୁଷ୍ୟକୁ ମଧ୍ୟ ବ୍ୟାପି ପାରିବ। 

ad-week
Leave A Reply

Your email address will not be published.