
ମାଲକାନଗିରି, ତା ୧୮/୦୫ : ମାଲକାନଗିରି ବ୍ଲକ ଅନ୍ତର୍ଗତ ବିରଲକ୍ଷ୍ମମଣପୁର ଗ୍ରାମପଞ୍ଚାୟତରେ ଆଜି ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ୭ଟି ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା । ସେଥିମଧ୍ୟରୁ ସମନ୍ୱିତ ଶିଶୁ ବିକାଶ ଯୋଜନା ବିଭାଗ ପକ୍ଷରୁ ପ୍ରଦର୍ଶିତ “ନ୍ୟୁଟ୍ରିସନ୍ ଷ୍ଟଲ୍” ସମସ୍ତଙ୍କ ଆଗ୍ରହର କେନ୍ଦ୍ରବିନ୍ଦୁ ପାଲଟିଥିଲା ।
ଏହି ଷ୍ଟଲରେ ଗର୍ଭବତୀ ମହିଳା, ପ୍ରସୂତି ମା’, କିଶୋରୀ ଏବଂ ୦ରୁ ୬ ବର୍ଷ ବୟସର ଶିଶୁମାନଙ୍କ ପାଇଁ ଉପଯୁକ୍ତ ସୁଷମ ଖାଦ୍ୟର ପ୍ରଦର୍ଶନୀ କରାଯାଇଥିଲା । ବିରଲକ୍ଷ୍ମମଣପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମସ୍ତ ଅଙ୍ଗନବାଡି କର୍ମୀମାନେ ନିଜେ ପ୍ରସ୍ତୁତ କରିଥିବା ବିଭିନ୍ନ ପୌଷ୍ଟିକ ଖାଦ୍ୟ ସାମଗ୍ରୀକୁ ଷ୍ଟଲରେ ପ୍ରଦର୍ଶନ କରିଥିଲେ । ଷ୍ଟଲରେ ଡାଲି ଜାତୀୟ ଶସ୍ୟ, ସବୁଜ ପନିପରିବା, କ୍ଷୀର, ଅଣ୍ଡା, ଶାଗ, ଛତୁଆ ସହ ବିଭିନ୍ନ ପ୍ରକାର ପିଠାପଣା ରଖାଯାଇଥିଲା । ବିଶେଷ କରି ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ପିଠାପଣା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ଜନସାଧାରଣ ଓ ହିତାଧିକାରୀମାନଙ୍କୁ ସୁଷମ ଖାଦ୍ୟର ଗୁରୁତ୍ୱ ବୁଝାଇଥିଲେ । ସେମାନେ କହିଥିଲେ ଯେ, ଏପରି ପୌଷ୍ଟିକ ଖାଦ୍ୟ ନିୟମିତ ଭାବେ ଗ୍ରହଣ କଲେ ଶିଶୁମାନେ ଉତ୍ତମ ପୋଷଣ ପାଇବେ ଏବଂ SAM, MAM ଓ Stunting ଭଳି ସମସ୍ୟାରୁ ଦୂରେଇ ରହିପାରିବେ ।
ଯୁଗ୍ମ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳଙ୍କ ସହ ଜିଲ୍ଲାର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀମାନେ ଷ୍ଟଲ୍ ପରିଦର୍ଶନ କରି ବେଶ୍ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ଏପରି ପୋଷଣ ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ସ୍ତରରେ କିପରି କାର୍ଯ୍ୟକରୀ କରାଯାଇପାରିବ, ସେନେଇ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ।
ଏହି ସଫଳ କାର୍ଯ୍ୟକ୍ରମ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ତପନ କୁମାର ସେନାପତି ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ରେଖା ଶୋଭା ସୁନ୍ଦରଙ୍କୁ ଜିଲ୍ଲାପାଳ ଅଭିନନ୍ଦନ ଜଣାଇଥିଲେ ।
