ନୟାଗଡ଼ :ଅଗ୍ନି ନିରାପତ୍ତା ବ୍ୟବସ୍ଥା କୁ ଫୁ,ବେଫିକର ମଲ୍, ଶୋରୁମ୍ ଓ ହୋଟେଲ ମାଲିକ….
ଧୃତରାଷ୍ଟ୍ର ସାଜିଛି ପ୍ରଶାସନ…!

ନୟାଗଡ: ନୟାଗଡ଼ ଜିଲ୍ଲା ମୁଖ୍ୟ ସଦରମହକୁମାରେ ମଲ, ସୋରୁମ୍, ପ୍ରାଇଭେଟ୍ କ୍ଲିନିକ୍ ଓ ହୋଟେଲ ଆଦି ଗଢ଼ି ଉଠୁଛି । ଗଢ଼ି ଉଠିଥିବା ଅନେକ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ତାହା ଚିନ୍ତାର ବିଷୟ ହୋଇଛି ।ଅତୀତରେ ନୟାଗଡ଼ ସମାସଙ୍ଗ ସୋରୁମରେ ଘଟିଥିବା ଅଗ୍ନିକାଣ୍ଡ, ଖଣ୍ଡପଡ଼ା ରାସ୍ତାରେ ଥିବା ଏକ ବସ୍ତ୍ରାଳୟରେ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଥିଲା । ନୟାଗଡ ସହରରେ ଥିବା ଅନେକ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଏଗୁଡ଼ିକୁ ଖୋଲିବା ପାଇଁ କିପରି ଅନୁମତି ମିଳୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସହରରେ ଥିବା ଅନେକ ଲଜ୍ ଓ ହୋଟେଲ ଗୁଡିକରେ ଅନେକ ବୈଦୁତିକ ଉପକରଣ ଲାଗିଥିଲେ ମଧ୍ୟ ଅଗ୍ନି ନିରାପତ୍ତା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଲେ ପରିସ୍ଥିତି ଜଟିଳ ହେବା ନିଶ୍ଚିତ ବୋଲି ଆଲୋଚନା ହେଉଛି ।ସେହିପରି ବିଭିନ୍ନ ସୋରୁମ ଗୁଡିକରେ ମଧ୍ୟ ଅନୁରୂପ ଅବସ୍ଥା ।ନୟାଗଡ଼ ବଜାରର ଗାରମେଣ୍ଟ ବଜାର କୁହାଯାଉଥିବା ଜୁବୁଲି ମାର୍କେଟରେ ଅନେକ ଜିନିଷ ଦ୍ଵାରା ରୁନ୍ଧି ହେଉ ଯାଉଥିବା ବେଳେ ଅଗ୍ନି ନିରାପତ୍ତା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏହି ମାର୍କେଟରେ ଥିବା କୋଟି କୋଟି ଟଙ୍କାର ଲୁଗା, ପୋଷାକ ଏବଂ ପ୍ରତ୍ୟେକ ଦିନ ଆସୁଥିବା ଗ୍ରାହକ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛନ୍ତି ।କେତେକ କ୍ଲିନିକ୍ ଗୁଡିକରେ ନାମମାତ୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିବା ବେଳେ ଅନେକ କ୍ଲିନିକରେ ଏହି ବ୍ୟବସ୍ଥା ନଥିବା ସ୍ପଷ୍ଟ ହୋଇଛି ।ଜିଲ୍ଲା ପ୍ରଶାସନ ଏବଂ ଅଗ୍ନିଶମ ବିଭାଗ ଏହି ଘଟଣା ଉପରେ ନଜର ରଖିବାର ଆବଶ୍ୟକତା ରହିଛି।
