ଅଙ୍ଗନୱାଡ଼ି ‘ବାଦାମ ଲଡ଼ୁ’ ଖାଇ ଗର୍ଭବତୀ ଗୁରୁତର: ସିଡିପିଓ ଅଫିସ ଘେରାଉ କଲେ ଜନପ୍ରତିନିଧି

add-all

ବନ୍ତ : ଭଦ୍ରକ ଜିଲା ବନ୍ତ ବ୍ଲକ୍ ଅଧୀନସ୍ଥ ସଖୀପାଟଣା ଅଙ୍ଗନୱାଡ଼ି କେନ୍ଦ୍ରରୁ ମିଳିଥିବା ଅସ୍ୱାସ୍ଥ୍ୟକର ପୃଷ୍ଟିକର ଖାଦ୍ୟ ଖାଇ ଜଣେ ଗର୍ଭବତୀ ମହିଳା ଗୁରୁତର ଅସୁସ୍ଥ ହୋଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ନିମ୍ନମାନର ଖାଦ୍ୟ ଯୋଗାଣ ପ୍ରତିବାଦରେ ସ୍ଥାନୀୟ ଜନପ୍ରତିନିଧି ଓ ସାମାଜିକ କର୍ମୀ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଛନ୍ତି।

ଘଟଣା ଅନୁସାରେ, ଅଙ୍ଗନୱାଡ଼ିରୁ ମିଳିଥିବା ବାଦାମ ଲଡ଼ୁ ଖାଇ ବର୍ଷା ଜେନା ନାମକ ୭ମାସର ଗର୍ଭବତୀ ମହିଳା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ଜାଣିବା ପରେ ସ୍ଥାନୀୟ ସମିତିସଭ୍ୟ ପରମେଶ୍ବର ବାରିକ ବାଦାମ ଲଡ଼ୁ ଧରି ବ୍ଲକ୍ ସିଡିପିଓ ଅଲାଡ଼ି ମାରାଣ୍ଡିକ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ସିଡିପିଓ ଏହି ସମ୍ବେଦନଶୀଳ ଘଟଣା ଉପରେ କୌଣସି ସନ୍ତୋଷଜନକ ଉତ୍ତର ନଦେବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ସିଡିପିଓଙ୍କ ଏଭଳି ଦାୟିତ୍ୱହୀନ ମନୋଭାବର ପ୍ରତିବାଦ କରି ସମିତିସଭ୍ୟ ପରମେଶ୍ବର ବାରିକଙ୍କ ନେତୃତ୍ୱରେ ବହୁସଂଖ୍ୟାରେ ସାମାଜିକ କର୍ମି ଓ ଜନ ପ୍ରତିନିଧି କାର୍ଯ୍ୟାଳୟ ପରିସରରେ ଧାରଣାରେ ବସି ରହିଛନ୍ତି।

ପ୍ରକାଶ ଯେ, ବାସୁଦେବପୁର ଅଞ୍ଚଳର “ଇଶ୍ୱର ଆଶା” ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଅତ୍ୟନ୍ତ ନିମ୍ନମାନର ଓ ଅସ୍ୱାସ୍ଥ୍ୟକର ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଯାହା ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ଜୀବନ ପ୍ରତି ବିପଦ ସଦୃଶ। ଏହି ଦୁର୍ନୀତିଗ୍ରସ୍ତ ଓ ଦାୟିତ୍ୱହୀନ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଧାରଣାରତ ସଦସ୍ୟ ଚେତାବନୀ ଦିଆଯାଇଛି।

ad-week
Leave A Reply

Your email address will not be published.