କୋରାପୁଟରେ ଆନ୍ତଃ-ଜିଲ୍ଲା ପେନସନ ଅଦାଲତ ଉଦ୍‌ଘାଟିତ

add-all

‘ଅବସର ପୂର୍ବରୁ କାଗଜପତ୍ର ଦିଅନ୍ତୁ, ଅବସର ଦିନ ପେନସନ ନିଅନ୍ତୁ’: ଉପ-ମହାଲେଖାକାର ଶୁଭମ ବୈଜ୍ୟନାଥ ସ୍ୱାମୀ

କୋରାପୁଟ (ବସନ୍ତ ପେଗଡ଼) : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବକେୟା ପେନସନ ଓ ଭବିଷ୍ୟନିଧି ସମସ୍ୟାର ତ୍ୱରିତ ସମାଧାନ ପାଇଁ କୋରାପୁଟ ସଦ୍‌ଭାବନା ଗୃହଠାରେ ଦୁଇ ଦିନିଆ ‘ଆନ୍ତଃ-ଜିଲ୍ଲା ପେନସନ ଅଦାଲତ’ ଆଜି ଉଦ୍‌ଘାଟିତ ହୋଇଯାଇଛି। ଏଥିରେ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସମସ୍ୟାର ଶୁଣାଣି କରାଯାଉଛି।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ପ୍ରଧାନ ମହାଲେଖାକାର (ଏଜି) ଓଡ଼ିଶା କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଛି। ଅଦାଲତର ପ୍ରଥମ ଦିନରେ ୬୯୨ଟି ପେନସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗ ଏବଂ ୧୨୧ଟି ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଅବସରକାଳୀନ ବକେୟା ପ୍ରାପ୍ୟ ଅଭିଯୋଗର ଶୁଣାଣି କରାଯାଇଛି।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଯୋଗଦେଇ ୧୯ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ମଞ୍ଜୁର ଆଦେଶ ପତ୍ର ପ୍ରଦାନ କରିଥିଲେ। ତିନୋଟି ଯାକ ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ପ୍ରାପ୍ୟର ତୁରନ୍ତ ସମାଧାନ କରିବାକୁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ପେନସନ ଓ ଭବିଷ୍ୟନିଧି ବିଭାଗର ଉପ-ମହାଲେଖାକାର ଶୁଭମ ବୈଜ୍ୟନାଥ ସ୍ୱାମୀ କହିଥିଲେ ଯେ, “ଅବସର ନେବାକୁ ଥିବା କର୍ମଚାରୀଙ୍କ ଆବେଦନପତ୍ର ଅବସରର ପୂର୍ବରୁ ଏଜି କାର୍ଯ୍ୟାଳୟକୁ ପଠାଇଲେ, ଅବସର ଦିନ ହିଁ ସମ୍ପୃକ୍ତ କର୍ମଚାରୀଙ୍କୁ ପେନସନ, ଗ୍ରାଚୁଇଟି ଓ ଭବିଷ୍ୟନିଧି ପ୍ରଦାନ କରିବା ସମ୍ଭବ ହୋଇପାରିବ।”

ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରା ନିଜ ବକ୍ତବ୍ୟରେ କହିଥିଲେ ଯେ, ଉପାନ୍ତ ଜିଲ୍ଲାଗୁଡ଼ିକରେ ପେନସନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଜି କାର୍ଯ୍ୟାଳୟର ଏଭଳି ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ କେଦାର ସିଂହ, କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଯୁଗ୍ମ ସଚିବ ଅସିତ କୁମାର ପାଣି, ଉପ-ଜିଲ୍ଲାପାଳ ପ୍ରେମଲାଲ ହିଲାଲ ଏବଂ ବରିଷ୍ଠ ଲେଖା ଅଧିକାରୀ ଶରତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଜି କାର୍ଯ୍ୟାଳୟ ପକ୍ଷରୁ ଏକ ପିପିଟି (PPT) ମାଧ୍ୟମରେ ପେନସନ ଅଟକିବାର କାରଣ ଓ ଏହାର ସମାଧାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଆସନ୍ତାକାଲି (ଦ୍ୱିତୀୟ ଦିନରେ) ତିନୋଟି ଜିଲ୍ଲାର ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପେନସନ ଅଦାଲତ ଅନୁଷ୍ଠିତ ହେବ। ଏହି ସମଗ୍ର କାର୍ଯ୍ୟକ୍ରମକୁ ବରିଷ୍ଠ ଲେଖା ଅଧିକାରୀ ଅଭିଜିତ କୁମାର, ସହକାରୀ ଲେଖା ଅଧିକାରୀ ରବି କୁମାର, ଓମ ପ୍ରକାଶ, ପ୍ରଦୀପ କୁମାର, ରୋହିତ କୁମାର, ମୋହନ କୁମାର, ସଞ୍ଜୟ କୁମାର, ପୁରୁଷୋତ୍ତମ ବଳ, ରଣବୀର କୁମାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପିଣ୍ଟୁ ସାହୁ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.