ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ବଢ଼ିଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର

add-all

ଭୁବନେଶ୍ବର : ମଧ୍ୟପ୍ରାଚ୍ୟ ଯୁଦ୍ଧ, ଡଲାର ମୂଲ୍ୟ ବୃଦ୍ଧି ଏବଂ ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦର ପ୍ରଭାବ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ପଡ଼ିଛି। ପରିବହନ ମୂଲ୍ୟ ବଢ଼ିବା ଦ୍ବାରା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରଦାମ ବୃଦ୍ଧି ପାଇଛି। ଖାଇବା ତେଲ, ଡାଲି ଜାତୀୟ ସାମଗ୍ରୀ ଏବଂ ଚିନି ଆଦି ଅନ୍ୟ ଗ୍ରୋସରି ସାମଗ୍ରୀ ଦାମ ବଢ଼ିଛି। ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିଛି। ପୂର୍ବ ଦରଦାମ ଅପେକ୍ଷା କେତେକ ସାମଗ୍ରୀ ଉପରେ ଖାଉଟିଙ୍କୁ କିଲୋଗ୍ରାମ କିମ୍ବା ଲିଟର ପିଛା ୩ରୁ ୪ ଟଙ୍କା ଅଧିକ ଦେଇ କିଣିବାକୁ ପଡ଼ୁଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ହେତୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଲାଣି। ସପ୍ତାହକ ଭିତରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ଦର ୪ ଟଙ୍କା ବଢ଼ିଛି। ଏହି କାରଣରୁ ପରିବହନ ଖର୍ଚ୍ଚ ବଢ଼ିଛି। ପୂର୍ବରୁ ଦୋକାନୀଙ୍କୁ କ୍ବିଣ୍ଟାଲ ସାମଗ୍ରୀ ପିଛା ପରିବହନ ଖର୍ଚ୍ଚ ୪୫ ଟଙ୍କା ପଡ଼ୁଥିଲା। ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ହେତୁ ବର୍ତ୍ତମାନ କ୍ବିଣ୍ଟାଲ ପିଛା ପରିବହନ ଖର୍ଚ୍ଚ ୩୦ରୁ ୪୦ ଟଙ୍କା ବଢ଼ିଛି। ଗ୍ରୋସରି ଦୋକାନ, ହୋଲସେଲର ଏବଂ ଗୋଦାମ ମାଲିକ ସାମଗ୍ରୀ ଉପରେ ପରିବହନ ଖର୍ଚ୍ଚକୁ ଲଦିଛନ୍ତି। ଏହାର ପ୍ରଭାବ ବଜାର ଉପରେ ପଡ଼ିଛି ଏବଂ ଖାଉଟି ମହଙ୍ଗା ମାଡ଼ର ଶିକାର ହୋଇଛନ୍ତି। ସୋରିଷ ତେଲ ଲିଟର ପିଛା ଦର ୪ରୁ ୫ଟଙ୍କ‌ା ବଢ଼ିଛି। ପାମୋଲିନ୍ ତେଲ ଲିଟର ପିଛା ୭ ଟଙ୍କା ବୃଦ୍ଧି ପାଇଛି। ସେହିପରି ଡାଲି ଜାତୀୟ ସାମଗ୍ରୀ ଉପରେ କିଲୋଗ୍ରାମ ପିଛା ୧ରୁ ୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ହରଡ଼ ଡାଲି ଗୁଣବତ୍ତା ଅନୁସାରେ ଦର ବୃଦ୍ଧି ହୋଇଛି। ହରଡ଼ ଡାଲି କିଲୋଗ୍ରାମ ପିଛା ଦର ୧୧୦ରୁ ୧୩୦ ଟଙ୍କା ପର୍ଯ୍ୟନ୍ତ ରହିଛି। ବୁଟ ଡାଲି କିଲୋଗ୍ରାମ ପିଛା ୪ ଟଙ୍କା ବୃଦ୍ଧି ପାଇଛି। ନୂତନ ଦର ଅନୁସାରେ ଗ୍ରାହକଙ୍କୁ ବୁଟ ଡାଲି କିଲୋ ୮୦ ଟଙ୍କାରେ କିଣିବାକୁ ପଡ଼ୁଛି। ଚିନି କିଲୋଗ୍ରାମ ପିଛା ୨ ଟଙ୍କା ବଢ଼ିଛି। ବର୍ତ୍ତମାନ ଚିନି କେଜି ୪୮ରୁ ୫୦ ଟଙ୍କାରେ ଖାଉଟି କିଣୁଛନ୍ତି।
ଭାରତରେ ପ୍ରାୟ ୪୦% ଖାଇବା ତେଲ ବିଦେଶରୁ ଆମଦାନୀ ହୁଏ। ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟ‌ର ଭାରତୀୟ ଅର୍ଥନୀତିକୁ ସୁଦୃଢ଼ ରଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖାଇବା ତେଲ ବ୍ୟବହାର କମ୍‌ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ। ଦର ବଢ଼ିବାରୁ ଲୋକେ ଖାଇବା ତେଲ ବ୍ୟବହାର କମ୍‌ କଲେଣି। ଆଇନଜୀବୀ ପ୍ରଶାନ୍ତ ଶତପଥୀ କହିଛନ୍ତି, ଖାଇବା ତେଲ ବିଦେଶରୁ ଆମଦାନୀ କରିବାକୁ ପଡ଼ୁଛି। ଭାରତୀୟ ମୁଦ୍ରା ତୁଳନାରେ ଡଲାର ମୂଲ୍ୟ ୯୬.୮୪ ଟଙ୍କାରେ ପହଞ୍ଚିଲାଣି। ଡଲାର ବଢ଼ିବା ହେତୁ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର କମିଯାଏ। ଡଲାର ମୂଲ୍ୟରେ ସାମଗ୍ରୀ କିଣା ଯାଉଥିବାରୁ ଭାରତୀୟ ମୁଦ୍ରା ଅଧିକ ଦେବାକୁ ପଡ଼ିଥାଏ। ଏହାର ପ୍ରଭାବ ଦରଦାମ ଉପରେ ପଡ଼ିଛି। ଗୋଦାମ ମାଲିକ ଗଙ୍ଗାରାମ ସାହୁ କହିଛନ୍ତି ୩ ଦିନ ମଧ୍ୟରେ ଖାଇବା ତେଲଠାରୁ ଆରମ୍ଭ କରି ଡାଲି ଜାତୀୟ ଏବଂ ଅନ୍ୟ ସାମଗ୍ରୀ ଦରଦାମ ବଢ଼ିଛି। ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ହେତୁ ପରିବହନ ଖର୍ଚ୍ଚ ବଢ଼ିଛି। ଦୋକାନୀ ପରିବହନ ଖର୍ଚ୍ଚକୁ ସାମଗ୍ରୀ ଦାମ ଉପରେ ପକାଇବାରୁ ଦରଦାମ ବଢ଼ିବା ସ୍ବାଭାବିକ। ଆଗକୁ ସରକାର ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ଲଗାଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଯଦି ଆଗାମୀ ଦିନରେ ସରକାର ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ଲାଗୁ କରନ୍ତି ତେବେ ଦରଦାମ ଆହୁରି ବଢ଼ିବା ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.