
• ମାଫିଆ-ଅଧିକାରୀ ମଧୁଚନ୍ଦ୍ରିକା, କୁମ୍ଭକର୍ଣ୍ଣ ନିଦ୍ରାରେ ଲଘୁ ଖଣିଜ ବିଭାଗ
କୋଟପାଡ଼, (ବସନ୍ତ ପେଗଡ଼): କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ୍ରେ ଏବେ ବାଲି ମାଫିଆଙ୍କ ରାଜ୍ ଚାଲିଛି। ଦିନକୁ ଦିନ ବାଲି ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ପ୍ରଶାସନିକ କଳର ଢିଲାପଣିଆ ଏବଂ ଅବହେଳା ଯୋଗୁଁ ରାଜ୍ୟ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ଘଟୁଛି। ଦିନରାତି ନିର୍ଭୟରେ ଶହ ଶହ ଟିପ୍ପର ଓ ଟ୍ରାକ୍ଟର ଯୋଗେ ବେଆଇନ ଭାବେ ସୀମାନ୍ତବର୍ତ୍ତୀ ରାଜ୍ୟ ଛତିଶଗଡ଼କୁ ବାଲି ଚାଲାଣ ହେଉଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ସବୁ ଜାଣି ନୀରବଦ୍ରଷ୍ଟା ସାଜିଛି।
କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହେଉଛି ଇନ୍ଦ୍ରାବତୀ ନଦୀ। କୋଟପାଡ଼ ତହସିଲ ଅନ୍ତର୍ଗତ ଏ. ଘଟର୍ଲା ଠାରୁ ଆରମ୍ଭ କରି ଛତିଶଗଡ଼ ସୀମାନ୍ତ ପର୍ଯ୍ୟନ୍ତ ଘଟର୍ଲା, ଆସ୍ନା ଓ ଷଡ଼ରଙ୍ଗା ଆଦି ସରକାରୀ ମାନ୍ୟତାପ୍ରାପ୍ତ ବାଲିଘାଟ ରହିଛି। ମାତ୍ର ବାଲି ବ୍ୟବସାୟୀମାନେ ନିୟମକୁ ବେଖାତିର କରି ପ୍ରାୟ ସମସ୍ତ ନଦୀକୂଳିଆ ଗ୍ରାମରୁ ବେଆଇନ ଭାବେ ବାଲି ଉଠାଉଛନ୍ତି। ଏହି ବାଲିକୁ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ଥାନରେ ବେଆଇନ ଭାବେ ଗଚ୍ଛିତ (Stock) ରଖାଯାଇ ପରବର୍ତ୍ତୀ ସମୟରେ ଉଚ୍ଚା ଦରରେ ବାହାର ରାଜ୍ୟକୁ ପରିବହନ କରାଯାଉଛି। ବାଲି ମାଫିଆ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ମିଲିଭଗତରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା ହେଉଛି। ତଥାପି ବିଭାଗ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଉନାହିଁ।
ଅନ୍ୟପକ୍ଷରେ, ପଡ଼ୋଶୀ ନବରଙ୍ଗପୁର ଜିଲ୍ଲାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଖଣି ଅଧିକାରୀ ଏବଂ କୋଡିଙ୍ଗା ତହସିଲଦାରଙ୍କ ମିଳିତ ଉଦ୍ୟମରେ ଭାସ୍କେଲ ନଦୀ ନିକଟରେ ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରାଯାଇଥିଲା। ମାଫିଆଙ୍କ ଦ୍ୱାରା ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ବାଲିକୁ ଜବତ କରାଯାଇ ନିଲାମ କରାଯିବା ସହ ଆଦାୟ ଅର୍ଥରାଶିକୁ ରାଜକୋଷରେ ଜମା କରାଯାଇଛି। କିନ୍ତୁ କୋରାପୁଟ ଜିଲ୍ଲା ପ୍ରଶାସନ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।
ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି, କୋଟପାଡ଼ ତହସିଲ ଅନ୍ତର୍ଗତ ଗୀର୍ଲା ରାଜସ୍ୱ ମଣ୍ଡଳ ଅଧୀନ ଅଙ୍କୁଲା ଗ୍ରାମ ନିକଟରେ ପ୍ରବାହିତ ଇନ୍ଦ୍ରାବତୀ ନଦୀରୁ ମେସିନ୍ ସାହାଯ୍ୟରେ ବାଲି ଉଠାଣ ପାଇଁ ବାଲି ବ୍ୟବସାୟୀଙ୍କୁ ସ୍ଥାନୀୟ ପ୍ରଶାସନ ଓ ଖଣି ଅଧିକାରୀଙ୍କ ଦ୍ୱାରା ‘ସ୍ପଟ୍ ଲିଜ୍’ ନାମରେ ଅନୁମତି ମିଳିଥିବା ସାଧାରଣରେ ଗୁଜବ ହେଉଛି। ଖାତା ନମ୍ବର-୨୯୫ ଏବଂ ପ୍ଲଟ୍ ନମ୍ବର-୨୨୪ ଥିବା ନଦୀ ଗର୍ଭରୁ ଖୁଲମଖୁଲା ବାଲି ଉଠାଣ ଚାଲିଥିବା ବେଳେ ଖଣିଜ ବିଭାଗୀୟ ଅଧିକାରୀ ହାତ ଟେକିଦେବା ଅନେକ ସନ୍ଦେହ ସୃଷ୍ଟି କରୁଛି।
ପ୍ରଶାସନ, ଖଣି ଅଧିକାରୀ ଏବଂ ବାଲି ମାଫିଆଙ୍କ ମଧ୍ୟରେ କେଉଁଭଳି ଭିତିରିଆ ସମ୍ପର୍କ ରହିଛି, ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କରେ ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ମାଫିଆଙ୍କ ଉପରେ ଲଗାମ ଲଗାଇପାରୁ ନାହିଁ। ବର୍ତ୍ତମାନ ଦେଖିବାକୁ ବାକି ରହିଲା, କୋରାପୁଟ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ଖଣି ଅଧିକାରୀ ଓ କୋଡିଙ୍ଗା ତହସିଲଦାରଙ୍କ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ପୂର୍ବଭଳି ସବୁକିଛି ଲୋପାପୁତା କରିଦିଆଯାଉଛି!
