ହର୍ମୁଜ୍ ବନ୍ଦ: ତୈଳ ଭଣ୍ଡାର ହ୍ରାସ ନେଇ ଚିନ୍ତାରେ ଭାରତ

add-all

ନୂଆଦିଲ୍ଲୀ: ଇରାନ ଯୁଦ୍ଧ ଯୋଗୁଁ ସମଗ୍ର ମଧ୍ୟପ୍ରାଚ୍ୟରେ ତୈଳ ଓ ଗ୍ୟାସ ଉତ୍ପାଦନ ଗମ୍ଭୀର ଭାବେ ବାଧାପ୍ରାପ୍ତ ହୋଇଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ୍ ପ୍ରଣାଳୀ’ ବନ୍ଦ ହେବା ଫଳରେ ବିଶ୍ୱ ବଜାରକୁ ପ୍ରତିଦିନ ଯୋଗାଇ ଦିଆଯାଉଥିବା ପ୍ରାୟ ୧୪ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସୂଚନାଯୋଗ୍ୟ, ଏହି ପ୍ରଣାଳୀ ଦେଇ ସମଗ୍ର ବିଶ୍ୱର ୨୦ ପ୍ରତିଶତ ଇନ୍ଧନ ପରିବହନ ହୋଇଥାଏ। ଏହାର ସିଧାସଳଖ ପ୍ରଭାବ ଏବେ ସାରା ବିଶ୍ୱର ଅର୍ଥନୀତି ଉପରେ ପଡ଼ିବାକୁ ଆରମ୍ଭ କଲାଣି। ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା (ଆଇଇଏ) ଏହାକୁ ଇତିହାସର ସବୁଠାରୁ ଭୟାବହ ଶକ୍ତି ସଙ୍କଟ ଭାବେ ଅଭିହିତ କରିଛି। ଏଥିସହ ଏକ ଗମ୍ଭୀର ‘ରେଡ୍ ଜୋନ୍’ ବା ଜରୁରୀକାଳୀନ ସ୍ଥିତିର ଚେତାବନୀ ଦେଇଛି।

ବିଶ୍ୱରେ ଏବେ ଜରୁରୀକାଳୀନ ତୈଳ ଭଣ୍ଡାର ପ୍ରାୟ ଶେଷ ହେବାକୁ ବସିଲାଣି। ଗତ ମାର୍ଚ୍ଚ ମାସରେ ରେକର୍ଡ ୪୦୦ ମିଲିୟନ ବ୍ୟାରେଲ ତୈଳ ବଜାରକୁ ଛଡ଼ାଯାଇଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିନାହିଁ। ଏହି ସଙ୍କଟ ଯୋଗୁଁ ଆଫ୍ରିକା ଏବଂ ଦକ୍ଷିଣ-ପୂର୍ବ ଏସିଆର ଗରିବ ଦେଶଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି, ଯାହା ଆଗାମୀ ଦିନରେ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ। ଯୁଦ୍ଧ ପୂର୍ବରୁ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପ୍ରତି ୭୨ ଡଲାର ଥିବାବେଳେ, ବର୍ତ୍ତମାନ ଏହା ୧୦୪ରୁ ୧୦୫ ଡଲାରକୁ ବୃଦ୍ଧି ପାଇଛି। ଚଳିତ ମେ’ ମାସ ଆରମ୍ଭରେ ଏହା ୧୧୪ ଡଲାରର ସର୍ବୋଚ୍ଚ ସ୍ତର ଛୁଇଁଥିଲା। ଯଦି ଯୁଦ୍ଧ ପୁଣି ଆରମ୍ଭ ହୁଏ, ତେବେ ଏହି ମୂଲ୍ୟ ୧୨୦ ଡଲାର ଟପିଯିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ଏହାଦ୍ୱାରା ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ଦର ବିଶ୍ୱବ୍ୟାପୀ ବୃଦ୍ଧି ପାଇଛି।

ଏହି ଶକ୍ତି ମହାସଙ୍କଟରୁ ଭାରତ ମଧ୍ୟ ବାଦ୍ ପଡ଼ିନାହିଁ। ଏପ୍ରିଲ ଏବଂ ମେ’ ମାସରେ ଭାରତୀୟ ବଜାରରେ ଇନ୍ଧନ ଦରରେ ବୃଦ୍ଧି ଦେଖାଦେଇଛି। ଯୁଦ୍ଧ ଆରମ୍ଭ ସମୟରେ ଭାରତ ପାଖରେ ୭୪ ଦିନର ତୈଳ ମହଜୁଦ ଥିବାବେଳେ, ମେ’ ମାସ ମଧ୍ୟଭାଗ ସୁଦ୍ଧା ଏହା ହ୍ରାସ ପାଇ ମାତ୍ର ୬୦ ଦିନକୁ ଚାଲିଆସିଛି। ଏହା ଭାରତର ଶକ୍ତି ସୁରକ୍ଷା ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି। ମଧ୍ୟପ୍ରାଚ୍ୟ ସଙ୍କଟର ସମାଧାନ ପାଇଁ ଚାଲିଥିବା ଶାନ୍ତି ଆଲୋଚନା ଏବେ ସ୍ଥଗିତ ରହିଛି। ଆମେରିକା ଦାବି କରିଛି ଯେ ଇରାନ ତାର ସମୃଦ୍ଧ ୟୁରାନିୟମ ହସ୍ତାନ୍ତର କରିବା ସହ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରୁ। ଅପରପକ୍ଷରେ, ଇରାନ ଯୁଦ୍ଧକ୍ଷତିର ଭରଣା ଏବଂ ତୈଳ ସଂକ୍ରାନ୍ତୀୟ ପ୍ରତିବନ୍ଧକ ହଟାଇବାକୁ ଜିଦ୍ ଧରିଛି। 

ad-week
Leave A Reply

Your email address will not be published.