ସୁନାବେଡ଼ାରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା: ଆହାର କେନ୍ଦ୍ରର ଖାଦ୍ୟ ଚାଖିଲେ, ଶତପ୍ରତିଶତ ଆବର୍ଜନା ସଂଗ୍ରହ ପାଇଁ ଦେଲେ ନିର୍ଦ୍ଦେଶ

add-all

ସୁନାବେଡ଼ା, ୨୬/୦୫ (ବସନ୍ତ ପେଗଡ଼) : କୋରାପୁଟ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ (ଡୁଡା) ତଥା ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଆଜି ସୁନାବେଡ଼ା ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ବିଶେଷ କରି ସହରର ଆହାର କେନ୍ଦ୍ର ଓ ଆବର୍ଜନା ପୁନଃପ୍ରକ୍ରିୟାକରଣ କେନ୍ଦ୍ରର କାର୍ଯ୍ୟଧାରାକୁ ସେ ତଦାରଖ କରିବା ସହ ଅଧିକ ସକ୍ରିୟ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ନାୟକ ଆହାର କେନ୍ଦ୍ରରେ ପହଞ୍ଚି ସେଠାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ପରଖିବା ପାଇଁ ନିଜେ ମଧ୍ୟାହ୍ନ ଭୋଜନ ଚାଖିଥିଲେ। ମାତ୍ର ୫ ଟଙ୍କାରେ ଦୈନିକ ୪୫୦ରୁ ଅଧିକ ଲୋକଙ୍କୁ ସୁଷମ ଖାଦ୍ୟ ଯୋଗାଇ ଦିଆଯାଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ କେନ୍ଦ୍ରରେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହାପରେ ପ୍ରକଳ୍ପ ନିର୍ଦ୍ଦେଶକ ସହରର ଆବର୍ଜନା ପୁନଃପ୍ରକ୍ରିୟାକରଣ କେନ୍ଦ୍ର (MCC) ପରିଦର୍ଶନ କରିଥିଲେ। ସେଠାରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ପୃଥକୀକରଣ, କମ୍ପୋଷ୍ଟିଂ ୟୁନିଟ୍ ଏବଂ ପ୍ଲାଷ୍ଟିକ ବେଲିଂ ପ୍ରକ୍ରିୟାର ସେ ଯାଞ୍ଚ କରିଥିଲେ। ଏହି ଅବସରରେ ସେ ସ୍ୱଚ୍ଛ ସାଥୀ ଓ ମହିଳା SHG ସଦସ୍ୟାମାନଙ୍କ ସହ ଆଲୋଚନା କରି ସେମାନଙ୍କ ଜୀବିକା ଓ ରୋଜଗାର ସମ୍ପର୍କରେ ପଚାରି ବୁଝିଥିଲେ। ସହରର ସ୍ୱଚ୍ଛତା ବଜାୟ ରଖିବାରେ ମହିଳାମାନଙ୍କ ଭୂମିକାକୁ ସେ ପ୍ରଶଂସା କରିବା ସହ ପ୍ରତି ୱାର୍ଡରୁ ୧୦୦ ପ୍ରତିଶତ ‘ଡୋର-ଟୁ-ଡୋର’ ଆବର୍ଜନା ସଂଗ୍ରହ ଏବଂ କମ୍ପୋଷ୍ଟର ବ୍ରାଣ୍ଡିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଗସ୍ତ ସମୟରେ ସୁନାବେଡ଼ା ପୌର ପରିଷଦର ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ସମେତ ପୌର ପରିଷଦର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୁନାବେଡ଼ା ସହରକୁ ଏକ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଗଢ଼ିତୋଳିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ଏହି ଅବସରରେ କୁହାଯାଇଛି।

ad-week
Leave A Reply

Your email address will not be published.